ଫୁଲବାଣୀ: କନ୍ଧମାଳରେ ଧଳା ଜହର ବିରୋଧରେ ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାରେ ସକ୍ରିୟ ଥିବା ଏକ ବଡ଼ ବ୍ରାଉନ ସୁଗର ସିଣ୍ଡିକେଟ୍ର ପର୍ଦ୍ଦାଫାସ କରିଛି କନ୍ଧମାଳ ପୋଲିସ। ଏହି ଅପରେସନରେ ସିଣ୍ଡିକେଟ୍ର କିଙ୍ଗପିନ୍ ସିବରପିତ ପଟ୍ଟନାୟକଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି। ଚମକପ୍ରଦ କଥା ହେଉଛି, ଏହି ଡ୍ରଗ୍ସ ନେଟୱର୍କରେ ଜଣେ ନିଲମ୍ବିତ ପୋଲିସ କନେଷ୍ଟବଳ ମଧ୍ୟ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି।
ପୋଲିସ ଚଢ଼ାଉ ବେଳେ ୭.୭୫ ଗ୍ରାମ ବ୍ରାଉନ ସୁଗର, ୨୨ କେଜି ଗଞ୍ଜେଇ, ଦୁଇଟି ବାଇକ୍ ଓ ସାତଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଜବତ ହୋଇଥିବା ବ୍ରାଉନ ସୁଗରର ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ।
ଏସପିଙ୍କ ନେତୃତ୍ୱରେ ଧଳା ଜହର ବିରୋଧରେ ସ୍ୱତନ୍ତ୍ର ଅପରେସନ ପାଇଁ ଏକାଧିକ ଟିମ୍ ଗଠନ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନେ ବ୍ରାଉନ ସୁଗରର ଚାଲାଣ, ଯୋଗାଣ ଓ ସେବନ ଚକ୍ରରେ ସକ୍ରିୟ ଭାବେ ଜଡ଼ିତ ଥିଲେ।
ଗିରଫ ୧୧ ଜଣଙ୍କ ମଧ୍ୟରୁ ୭ ଜଣ ଫୁଲବାଣୀ ସହରର ହୋଇଥିବା ବେଳେ ଅନ୍ୟମାନେ ଗୋଚ୍ଛାପଡ଼ା ଓ ଟିକାବାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଏହି ଡ୍ରଗ୍ସ ନେଟୱର୍କର ଚେର ନୟାଗଡ଼ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ନେଟୱର୍କ ସହ ଜଡ଼ିତ ଅନ୍ୟ ସନ୍ଦିଗ୍ଧଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସ୍ପଷ୍ଟ କରିଛନ୍ତି।