କଟକ: ଏମ୍ବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଚର୍ଚ୍ଚିତ ମାମଲାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ ସଂଗ୍ରହ କରିଥିବା ବେଳେ, ଚନ୍ଦ୍ରିକା ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା WhatsApp ଚାଟ୍ ଏବଂ କଲ୍ ରେକର୍ଡକୁ ଜବତ କରାଯାଇଛି। ଏହି ସବୁ ତଥ୍ୟର ବିଶ୍ଳେଷଣ ଆଧାରରେ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି।
କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ, ଜୁନ୍ ୪ ତାରିଖରେ କାଠଯୋଡ଼ି ନଦୀ ପଠାରୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ହେବା ପରେ ବାରଙ୍ଗ ଥାନାରେ ମାମଲା ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ ପାଇଁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ତଦନ୍ତକାରୀ ଦଳ ମୟୂରଭଞ୍ଜର ଉଦଳା ପର୍ଯ୍ୟନ୍ତ ଯାଇ ତଥ୍ୟ ସଂଗ୍ରହ କରିଥିଲେ।
ପୋଲିସ ଚନ୍ଦ୍ରିକାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଛି। ସେହିପରି ମୃତ୍ୟୁ ପୂର୍ବର କିଛି ଦିନର WhatsApp ବାର୍ତ୍ତା ଓ ଫୋନ୍ କଥାବାର୍ତ୍ତାକୁ ଯାଞ୍ଚ କରାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଚନ୍ଦ୍ରିକା ମାନସିକ ଚାପରେ ଥିଲେ ଏବଂ ଅଭିଯୁକ୍ତଙ୍କ ବ୍ୟବହାରକୁ ନେଇ ସେ ଅତ୍ୟନ୍ତ ବିଚଳିତ ଥିବା ଚାଟ୍ରୁ ସୂଚନା ମିଳିଛି। କେତେକ ବାର୍ତ୍ତାରେ ସେ ଚରମ ପଦକ୍ଷେପ ନେବା ନେଇ ମଧ୍ୟ ଉଲ୍ଲେଖ କରିଥିବା କଥା ପୋଲିସ କହିଛି।
ତଦନ୍ତ ସମୟରେ ଅଭିଯୁକ୍ତଙ୍କ ମାଆଙ୍କ ସହ ହୋଇଥିବା କଥାବାର୍ତ୍ତା ମଧ୍ୟ ପୋଲିସ ହାତରେ ଲାଗିଛି, ଯାହା ମାମଲାରେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ଦେଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ଓଡ଼ିଶା ଟ୍ୟାକ୍ସ ଓ ଆକାଉଣ୍ଟସ୍ ସର୍ଭିସ୍ (OTAS) ଟ୍ରେନି ଭୀମସେନ ପ୍ରସାଦ ଟୁଡୁଙ୍କୁ ପୋଲିସ ଗିରଫ କରିଛି। ଆତ୍ମହତ୍ୟା ପାଇଁ ପ୍ରରୋଚନା ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମାମଲା ରୁଜୁ ହେବା ପରେ ସେ ଝାଡ଼ଖଣ୍ଡକୁ ପଳାଇଯାଇଥିଲେ, ପରେ ତାଙ୍କୁ ମୟୂରଭଞ୍ଜରୁ ଧରାଯାଇଥିଲା।
ଚନ୍ଦ୍ରିକାଙ୍କ ପରିବାର ଏହାକୁ ହତ୍ୟା ବୋଲି ଅଭିଯୋଗ କରୁଥିବା ବେଳେ ପୋଲିସ ବର୍ତ୍ତମାନ ଆତ୍ମହତ୍ୟା ପାଇଁ ପ୍ରରୋଚନା ମାମଲାରେ ତଦନ୍ତ ଜାରି ରଖିଛି। ଡିଜିଟାଲ ପ୍ରମାଣର ବିଶ୍ଳେଷଣ ପରେ ମାମଲାରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।