ରାୟଗଡ଼ା: କାଶୀପୁରରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଡକାୟତ ଗ୍ୟାଙ୍ଗଙ୍କ ଡକାୟତି ଯୋଜନା ପଣ୍ଡ । ଲୁଟ ପାଇଁ ଉଦ୍ୟମ କରିବା ବେଳେ କାବୁ କରିଛି ପୋଲିସ । ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଡମ୍ବରୁଧର ନାଏକ ଓରଫ ଅଙ୍କିତ, ମନୋଜ ନାୟକ, ରବି ମାଝି, ଆକାଶ ବଡନାୟକ ଓ ଭାଗିରଥୀ ନାଏକ ଓରଫ ଭୋଗି । ସମସ୍ତେ କାଶୀପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଡକାୟତିରେ ବ୍ୟବହୃତ ଗୋଟିଏ ହିରୋ ପ୍ୟାସନ୍ ବାଇକ୍, ଗୋଟିଏ ଖଣ୍ଡା, ଦୁଇଟି ଲୁହା ରଡ, ଦୁଇଟି ବାଉଁଶ ବାଡ଼ି ଓ ଲଙ୍କା ଗୁଣ୍ଡ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥଛି ।
ପୋଲିସ ସୂଚନା ଅନୁଯାୟୀ, ୧୪ ଓ ୧୫ ଜୁନ୍ ମଧ୍ୟରାତ୍ରିରେ ପାଟ୍ରୋଲିଂ ସମୟରେ କାଶୀପୁର ଶିବ ମନ୍ଦିର ନିକଟରେ କିଛି ଯୁବକ ମାରଣାସ୍ତ୍ର ଅସ୍ତ୍ରଶସ୍ତ୍ର ସହ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ପୋଲିସ ସେମାନଙ୍କର ପିଛା କରି ସମସ୍ତଙ୍କୁ କାବୁ କରିଥିଲା। ଏହି ଘଟଣାର ତଦନ୍ତ ଅତିରିକ୍ତ ଆଇ ଆଇ ସି ଜଗବନ୍ଧୁ ମଲ୍ଲିକ କରୁଥିବା ବେଳେ ଉକ୍ତ ଅଭିଯୁକ୍ତ ମାନେ ପୂର୍ବରୁ ୩ଟି ଘଟଣାରେ ସମ୍ପୃକ୍ତ ଥିବା ନେଇ ପର୍ଦ୍ଦାଫାସ ହୋଇଥିବା ସୂଚନା ମିଳିଛି।