କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ତନାର ଗାଁରେ ରଜ ଦୋଳି ଖେଳ ଅଘଟଣ । ରଜ ଦୋଳି ଉପରକୁ ମାଡ଼ି ଯାଇଛି ଦ୍ରୁତଗାମୀ ବୋଲେରୋ ଗାଡ଼ି l ଏଥିରେ ତିନି ଜଣ ଛୋଟ ପିଲା ଆହତ ହୋଇଛନ୍ତି ।
ଆଜି ସକାଳ ୧୦ଟା ବେଳେ ତନାର ଗାଁ ଭିତରେ ଲାଗିଥିବା ଏକ ରଜ ଦୋଳିକୁ ଘେରି ପିଲାମାନେ ଛିଡା ହୋଇଥିଲେ । ଏହି ସମୟରେ ହଠାତ୍ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଦୋଳି ଉପରକୁ ମାଡି ଯାଇଥିଲା l ଦୋଳିରେ ବସିଥିବା ଦୁଇ ଶିଶୁ ରାଧିକା ଦାସ ଓ ରାହୁଲ ଦାସ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ l ପାଖରେ ଥିବା ଅନ୍ୟ କିଛି ପିଲା ସାମାନ୍ୟ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭର୍ ଗାଡି ନେଇ ଫେରାର ହୋଇଯାଇଥିବା ଜଣାପଡିଛି l