ଜଗତସିଂହପୁରରେ ପୁଅ ସାଜିଲା ପିଶାଚ
ଜମି ବିବାଦରୁ ବାପା-ମାଆଙ୍କୁ କଟୁରିରେ କାଟି ହତ୍ୟା କଲା ପୁଅ
ଅଭିଯୁକ୍ତ ଗିରଫ
ଜମିବାଡ଼ି ବିବାଦକୁ ନେଇ ସମ୍ପର୍କରେ ଲାଗିଛି ରକ୍ତର ଦାଗ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତେର୍ତାଙ୍ଗ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ନିଜ ଜନ୍ମକଲା ବାପା ଓ ମାଆଙ୍କୁ ଧାରୁଆ କଟୁରିରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛି ପାପୀ ପୁଅ। ମୃତକ ଦ୍ୱୟ ହେଉଛନ୍ତି ବାପା ସତ୍ୟାନନ୍ଦ ପରିଡା ଏବଂ ମାଆ ଚାରୂଲତା ପରିଡା। ହତ୍ୟାକାଣ୍ଡର ଭୟାବହତା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୋଲିସ ସୂଚନା ଅନୁଯାୟୀ, ମୃତ ସତ୍ୟାନନ୍ଦଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ଦିଲୀପ ପରିଡା କଟକର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ସତ୍ୟାନନ୍ଦ ଗାଁରେ ଏକ ତେଜରାତି ଦୋକାନ କରି ଦ୍ୱିତୀୟ ସ୍ତ୍ରୀ ଚାରୂଲତାଙ୍କ ସହ ରହୁଥିଲେ। ଜମିବାଡ଼ିକୁ ନେଇ ବାପା-ପୁଅଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଓ ପାଟିତୁଣ୍ଡ ଲାଗି ରହିଥିଲା। ଦିଲୀପ ପୂର୍ବରୁ ହିଁ ହତ୍ୟା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ସାରିଥିଲା। ଗତକାଲି ସେ କଟକରୁ ଏକ କଟୁରିକୁ ଭଲ ଭାବେ ଧାର କରି ଗାଁକୁ ଆସିଥିଲା।
ଗତକାଲି ଅପରାହ୍ନରେ ସତ୍ୟାନନ୍ଦ ଘର ଭିତରେ ଶୋଇଥିବା ବେଳେ ମାଆ ଚାରୂଲତା ଘର ବାହାରେ କାମ କରୁଥିଲେ। ଏହି ନିଛାଟିଆ ସୁଯୋଗର ଫାଇଦା ଉଠାଇ ଦିଲୀପ ପ୍ରଥମେ ଘର ଭିତରକୁ ପଶି ଶୋଇଥିବା ଅବସ୍ଥାରେ ବାପା ସତ୍ୟାନନ୍ଦଙ୍କ ବେକକୁ କଟୁରିରେ ଚୋଟ ମାରିଥିଲା। ବାପାର ପ୍ରାଣବାୟୁ ଉଡ଼ିଯିବା ପରେ ସେ ରକ୍ତଭିଜା କଟୁରି ଧରି ବାହାରକୁ ଆସିଥିଲା ଏବଂ ବାହାରେ କାମ କରୁଥିବା ମାଆ ଚାରୂଲତାଙ୍କ ବେକକୁ ମଧ୍ୟ ଅତି ନିର୍ଦ୍ଦୟ ଭାବେ ହାଣି ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା।