ଗଜପତି: ଦାଦନ ଖଟିବାକୁ ଯାଇଥିଲେ ରୋଜଗାର ଆଶାରେ, କିନ୍ତୁ ସେଠାରେ ପଡ଼ିଥିଲେ ବନ୍ଧକ। ମାଲିକଙ୍କ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇ ଦିନ କାଟୁଥିଲେ ବାପା-ପୁଅ। ଶେଷରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସର ମିଳିତ ଉଦ୍ୟମରେ ୮ ଦିନ ପରେ ଉଦ୍ଧାର ହୋଇ ନିଜ ଗାଁକୁ ଫେରିଛନ୍ତି ଉଭୟ।
ଏଭଳି ଘଟଣା ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରଣାଲଇ ଗାଁରୁ ସାମ୍ନାକୁ ଆସିଛି। ଗାଁର ଶାନ୍ତିଏଲ କରାଡ ଓ ତାଙ୍କ ପୁଅ ଗମଲିଆର କରାଡ ଆନ୍ଧ୍ରପ୍ରଦେଶର ତିରୁମାଲାସ୍ଥିତ ‘ଶ୍ରୀ ସାଇ ସତ୍ୟ ହ୍ୟାଣ୍ଡଲୁମ୍’ କମ୍ପାନୀରେ କାମ କରୁଥିଲେ। କିଛିଦିନ ପୂର୍ବରୁ ଶାନ୍ତିଏଲଙ୍କ ପତ୍ନୀ ଅସୁସ୍ଥ ଥିବା ଖବର ପାଇ ସେ ଗାଁକୁ ଫେରିବା ପାଇଁ ମାଲିକଙ୍କ ନିକଟରେ ଛୁଟି ମାଗିଥିଲେ।
ଅଭିଯୋଗ ଅନୁସାରେ, ଛୁଟି ଦେବା ବଦଳରେ କମ୍ପାନୀ ମାଲିକ ବାପା-ପୁଅଙ୍କୁ ଅଲଗା ଅଲଗା ସ୍ଥାନରେ ରଖିଥିଲେ। ସେମାନଙ୍କୁ ମାଡ଼ ମାରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆର୍.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ଆର୍.ଉଦୟଗିରି ଏସଡିପିଓ ତିରୁପତି ପୋଲିସ ସହ ଯୋଗାଯୋଗ କରିଥିଲେ। ପରେ ଓଡ଼ିଶା ଓ ତିରୁପତି ପୋଲିସର ମିଳିତ ଅଭିଯାନରେ ଉଭୟ ବାପା-ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗାଁକୁ ଫେରାଇ ଆଣାଯାଇଛି।
ବନ୍ଧକ ଜୀବନରୁ ମୁକ୍ତି ପାଇବା ପରେ ବାପା-ପୁଅଙ୍କ ମୁହଁରେ ଖୁସି ସ୍ପଷ୍ଟ ଦେଖିବାକୁ ମିଳିଛି। ସେମାନେ ପୋଲିସ ପ୍ରଶାସନର ତ୍ୱରିତ ପଦକ୍ଷେପ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି।