ନବରଙ୍ଗପୁର: ରାତିର ନିରବତା ଭିତରେ ହଠାତ୍ ଶୁଭିଥିଲା ଏକ ଭୟଙ୍କର ବିସ୍ଫୋରଣ ଭଳି ଶବ୍ଦ। ଆଉ କିଛି କ୍ଷଣ ମଧ୍ୟରେ ଢାବାଟି ନିଆଁର ଭୟଙ୍କର ଶିଖାରେ ଘେରି ଯାଇଥିଲା। ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଥିବା ‘ମା’ ମାଉଳି ଢାବା’ରେ ଗ୍ୟାସ ପାଇପ ଫାଟି ଘଟିଛି ଏକ ବଡ଼ ଅଘଟଣ। ଏଥିରେ ଢାବା ମାଲିକଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଢାବାରେ ବ୍ୟବହୃତ ଗ୍ୟାସ ପାଇପ ହଠାତ୍ ଫାଟିଯାଇଥିଲା। ଏହାପରେ ମୁହୂର୍ତ୍ତକ ମଧ୍ୟରେ ନିଆଁ ବ୍ୟାପିଯାଇ ଢାବା ଭିତରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଢାବା ମାଲିକଙ୍କ ସମେତ ୨ ଜଣ କର୍ମଚାର ଗୁରୁତର ଭାବେ ପୋଡ଼ି ଯାଇଥିବା ଜଣାପଡ଼ିଛି।
ଘଟଣା ପରେ ସ୍ଥାନୀୟ ଲୋକ ଏବଂ ଢାବା କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ୟାସ ପାଇପ କିପରି ଫାଟିଲା ଓ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।