ଭୁବନେଶ୍ୱର: ରାଜ୍ୟରେ ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବନକୁ ଆହୁରି ମଜବୁତ କରିବା ପାଇଁ ଆସନ୍ତା ଜୁନ୍ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଆୟୋଜିତ ହେବ ‘ସୁଭଦ୍ରା ଶକ୍ତି ସମାବେଶ’। ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଆୟୋଜନ କରାଯିବ। ଏନେଇ ମଙ୍ଗଳବାର ମିଶନ ଶକ୍ତି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଭର୍ଚୁଆଲ ସମୀକ୍ଷା ବୈଠକ କରିଥିଲେ।
ରଜ ପର୍ବର ଶେଷ ଦିନରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାର ଫିଲ୍ଡ ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ‘ସୁଭଦ୍ରା ଶକ୍ତି ସମାବେଶ’ର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଶୀଘ୍ର ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ମହିଳାମାନଙ୍କ ମଧ୍ୟରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଓ ସେମାନଙ୍କୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା। ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ସମାବେଶ, ଦକ୍ଷତା ବିକାଶ, ବଜାର ସଂଯୋଗ ଓ ରୋଜଗାର ସୁଯୋଗ ସମ୍ପର୍କରେ ଅବଗତ କରାଯିବ। ଏହା ସହିତ ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ଓ ‘ମହାଲକ୍ଷପତି ଦିଦି’ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ବୈଠକ ପରେ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ (ସିଏସଏସ)ଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ରାଜ୍ୟର ୩୦ଟି ଜିଲ୍ଲାରୁ ୩୦୦ରୁ ଅଧିକ ସିଏସଏସ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇବା ସହ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ମିଶନ ଶକ୍ତିର ସଫଳତା ପଛରେ ଏହି କର୍ମୀମାନଙ୍କ ନିଷ୍ଠା, ପରିଶ୍ରମ ଓ ଦକ୍ଷତା ରହିଛି। ସେମାନଙ୍କ ଉଦ୍ୟମ ଯୋଗୁଁ ସରକାରୀ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ସଫଳତାର ସହ ପହଞ୍ଚିପାରୁଛି।
ପ୍ରଭାତୀ ପରିଡ଼ା କହିଥିଲେ, “ଆପଣମାନେ ବିଭାଗର ପ୍ରକୃତ ପ୍ରତିନିଧି। ଆପଣମାନଙ୍କ ସଂଗଠିତ ଓ ଦକ୍ଷ କାର୍ଯ୍ୟ ପାଇଁ ଓଡ଼ିଶା ଦେଶରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଆପଣମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସଦା ପ୍ରତିବଦ୍ଧ।”
ଏହି ଆଲୋଚନା ବୈଠକରେ ତୃଣମୂଳ ସ୍ତରରେ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯିବା ସହ ଆଗାମୀ ଦିନରେ ମିଶନ ଶକ୍ତିର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ଦିଗନିର୍ଦ୍ଦେଶ ଦିଆଯାଇଥିଲା। ଏହି ‘ସୁଭଦ୍ରା ଶକ୍ତି ସମାବେଶ’ ରାଜ୍ୟର ମହିଳାମାନଙ୍କୁ ନୂଆ ଆତ୍ମବିଶ୍ୱାସ ଓ ଆର୍ଥିକ ସ୍ୱାବଲମ୍ବନର ପଥରେ ଆଗକୁ ନେବ ବୋଲି ଆଶା କରାଯାଉଛି।