ଭୁବନେଶ୍ୱର: ରାଜ୍ୟରେ ଭତ୍ତା ବଣ୍ଟନରେ ବିଳମ୍ବକୁ ନେଇ ଚିନ୍ତାରେ ଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ଖୁବଶୀଘ୍ର ସେମାନଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ପହଞ୍ଚିବ ବୋଲି ସ୍ପଷ୍ଟ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଦୀର୍ଘଦିନ ଧରି ଭତ୍ତା ପାଇନଥିବା ହିତାଧିକାରୀମାନେ ଏହି ଘୋଷଣା ପରେ ଆଶାବାଦୀ ହୋଇପଡ଼ିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭତ୍ତା ବଣ୍ଟନରେ ହୋଇଥିବା ବିଳମ୍ବର ମୂଳ କାରଣ ହେଉଛି ସଫ୍ଟୱେରରେ ଦେଖାଦେଇଥିବା ବୈଷୟିକ ତ୍ରୁଟି। ବର୍ତ୍ତମାନ ଏହି ତ୍ରୁଟିର ସଂଶୋଧନ କାର୍ଯ୍ୟ ଜୋରଦାର ଭାବେ ଚାଲିଥିବା ବେଳେ, ଅଳ୍ପ କିଛି ଦିନ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଟଙ୍କା ଜମା ହେବ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ, ସମସ୍ୟାଟି ରାଜ୍ୟ ସରକାରଙ୍କ ନୁହେଁ, ବରଂ କେନ୍ଦ୍ରୀୟ ସ୍ତରର ବୈଷୟିକ ତ୍ରୁଟି ଯୋଗୁ ଏହି ବିଳମ୍ବ ହୋଇଛି। ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ଲୋକଙ୍କ ତଥ୍ୟ ତ୍ରୁଟି ସଂଶୋଧନ ହୋଇସାରିଛି ଏବଂ ସେମାନଙ୍କୁ ଭତ୍ତା ପ୍ରଦାନ ଆରମ୍ଭ ହୋଇଯାଇଛି।
ସବୁଠୁ ବଡ଼ କଥା ହେଉଛି, ଯେଉଁମାନେ ଏପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି ସେମାନଙ୍କ ବକେୟା ଟଙ୍କା ମଧ୍ୟ ଏକାସଙ୍ଗେ ମିଳିବ। ଆବଶ୍ୟକ ପଡ଼ିଲେ ଗୋଟିଏ ମାସ ବଦଳରେ ୩ ମାସର ଭତ୍ତା ଏକାଥରେ ଖାତାକୁ ଆସିପାରେ। ତେଣୁ ଅପେକ୍ଷାରେ ଥିବା ହିତାଧିକାରୀଙ୍କ ପାଇଁ ଏହି ଖବର ନିଶ୍ଚୟ ଖୁସି ଆଣିଛି।