ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଆଗାମୀ ୫ ଦିନ ସତର୍କ ରହିବାକୁ ପଡ଼ିବ। ଏକପଟେ ବଜ୍ରପାତ ସହ ବର୍ଷା ଓ ପବନର ପ୍ରକୋପ ଦେଖିବାକୁ ମିଳିବ, ଅନ୍ୟପଟେ ଗରମ ଓ ଗୁଳୁଗୁଳି ଅନୁଭୂତିରୁ ମଧ୍ୟ ନିସ୍ତାର ମିଳିବ ନାହିଁ। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ୧୭ ଜୁନ୍ରୁ ୨୧ ଜୁନ୍ ପର୍ଯ୍ୟନ୍ତ ବିଶେଷ ପାଣିପାଗ ସତର୍କତା ଜାରି କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ୧୭ ତାରିଖରେ ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଜୁନ୍ ୧୮ ଓ ୧୯ ତାରିଖରେ ମଧ୍ୟ ଅଧିକାଂଶ ଜିଲ୍ଲାରେ ବଜ୍ରପାତ, ବିଜୁଳି ଘଡ଼ଘଡ଼ି ଓ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତି ଜାରି ରହିବ। ସେହିପରି ଝାରସୁଗୁଡ଼ା ଓ ସମ୍ବଲପୁରର କିଛି ସ୍ଥାନରେ ହିଟୱେଭ୍ ପରିସ୍ଥିତି ମଧ୍ୟ ଦେଖାଯାଇପାରେ।
ଜୁନ୍ ୨୦ ଓ ୨୧ ତାରିଖରେ ମଧ୍ୟ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ବଜ୍ରପାତ ସହ ବର୍ଷା ଏବଂ ଝଡ଼ ପବନର ପ୍ରଭାବ ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ଓ ଆର୍ଦ୍ର ପାଗ ଲୋକଙ୍କୁ ଅସୁବିଧାରେ ପକାଇପାରେ।
ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବଜ୍ରପାତ ସମୟରେ ଗଛ ତଳେ କିମ୍ବା ଖୋଲା ସ୍ଥାନରେ ନ ରହିବା, ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ଯିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି। ଚାଷୀ, ମତ୍ସ୍ୟଜୀବୀ ଓ ବାହାରେ କାମ କରୁଥିବା ଲୋକଙ୍କୁ ବିଶେଷ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଝଡ଼ ପବନ ଯୋଗୁଁ କଚ୍ଚା ଘର, ବିଦ୍ୟୁତ୍ ଖୁଣ୍ଟ ଓ ଠିଆ ଫସଲର କ୍ଷତି ହେବାର ଆଶଙ୍କା ଥିବାରୁ ପୂର୍ବ ପ୍ରସ୍ତୁତି ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି। ତେଣୁ ଆଗାମୀ ୫ ଦିନ ବର୍ଷା ଓ ବଜ୍ରପାତ ସହ ଗରମର ଡବଲ୍ ମାଡ଼ ସାମ୍ନା କରିବାକୁ ରାଜ୍ୟବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ।