ଭୁବନେଶ୍ୱର: ଆଗାମୀ ନିଟ୍ ପରୀକ୍ଷାରେ ଯେପରି ଗୋଟିଏ ବି ତ୍ରୁଟି ନ ରୁହେ ସେଥିପାଇଁ କେନ୍ଦ୍ରଠାରୁ ଆରମ୍ଭ ରାଜ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ମଙ୍ଗଳବାର ନିଟ୍ ପରୀକ୍ଷା ପ୍ରସ୍ତୁତି ନେଇ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସହିତ ନିଟ୍ ପରୀକ୍ଷା ପ୍ରସ୍ତୁତି ନେଇ ମୁଖ୍ୟ ଶାସଵ ସଚିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ନିଟ୍ ପରୀକ୍ଷାକୁ ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ୍, ଗ୍ଲକୋଜ୍ ଏବଂ ଔଷଧ ସହିତ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଛାତ୍ରଛାତ୍ରୀଙ୍କ ଗମନାଗମନ ଉପରେ ମଧ୍ୟରେ ଧ୍ୟାନ ଦିଆଯାଇଛି । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ନିଟ୍ ପରୀକ୍ଷାର୍ଥୀ ମାଗଣାରେ ବସରେ ଯାତ୍ରା କରିବେ । ତତସହିତ ଜୁନ୍ 21ରେ ଅନ୍ତର୍ଜାତୀୟ ଯୋଗ ଦିବସ ପଡ଼ୁଥିବାରୁ ସକାଳ 8ଟା ସୁଦ୍ଧା ଯୋଗ ଦିବସ ପାଳନ ଶେଷ କରିବାକୁ କୁହାଯାଇଛି । ସେହିପରି ପରୀକ୍ଷା ଦିନ ଜିଲ୍ଲାପାଳ ଏବଂ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିବେ। ପରୀକ୍ଷାରେ ସାମାନ୍ୟ ତ୍ରୁଟି କିମ୍ବା ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶାରେ 27 ଟି ସହରେ 132 ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ୍ 56 ହଜାର 983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଅପରାହ୍ନ 2ଟା 5 ଟା ଯାଏ ପରୀକ୍ଷା ଚାଲିବ । ଏନଟିଏ ଘୋଷଣା ମୁତାବକ ଅତିରିକ୍ତ 15 ମିନିଟ୍ ସମୟ ଦିଆଯିବ । ଏହି ସମୟରେ ପରୀକ୍ଷାର୍ଥୀ ଭଲରେ ପ୍ରଶ୍ନ ପତ୍ର ପଢ଼ିବା ସହିତ ପ୍ରସ୍ତୁତ ହୋଇପାରିବେ । କୌଣସି ପରୀକ୍ଷାର୍ଥୀ କୌଣସି ବୈଦ୍ୟୁତିକ ସାମଗ୍ରୀ ଯଥା, ମୋବାଇଲ୍, ହେଡ୍ ଫୋନ୍, ସ୍ମାର୍ଟ ୱାଚ୍, ଇତ୍ୟାଦି ନେବେ ନାହିଁ ତା ଉପରେ କଡ଼ା ନଜର ରଖାଯିବ । ପରୀକ୍ଷାର୍ଥୀମାନେ କେବଳ ପେନ୍ ପେପରରେ ପରୀକ୍ଷା ଦେବେ । ସେଥିପାଇଁ ସାଙ୍ଗରେ କେବଳ ପେନ୍ ନେଇ ପାରିବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ନିଟ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଘୋଟାଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଣାଳୟ ଏବେ ଗୋଟିଏରୁ ଗୋଟିଏ କଠୋର ନିଷ୍ପତ୍ତି ନେଉଛନ୍ତି । ସମସ୍ତ ପ୍ରଶ୍ନ ପ୍ରସ୍ତୁତକର୍ତ୍ତାଙ୍କୁ ବାହ୍ୟ ଜଗତଠାରୁ ବିଚ୍ଛିନ୍ନ କରାଯାଇ ଲକଡାଉନରେ ରଖାଯାଇଛି । ସେମାନେ ନିଜ ସହିତ କୌଣସି ବୈଦ୍ୟୁତିକ ସାମଗ୍ରୀ ରଖିପାରିବେ ନାହିଁ । ସେହିପରି ଆଜି କେନ୍ଦ୍ର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଟେଲିଗ୍ରାମ ଉପରେ ଜନ୍ 22 ତାରିଖ ପର୍ଯ୍ୟନ୍ତ କଟକଣା ଲଗାଯାଇଛି ।