ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନିସ୍ତିପୁର ଗ୍ରାମରେ ଏବେ ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି। ଗ୍ରାମରେ ଏକ ପାଗଳ ମାଙ୍କଡ଼ ଉତ୍ପାତ ସୃଷ୍ଟି କରି ୯ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ଆହତ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଗାଁରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ହଠାତ୍ ମାଙ୍କଡ଼ଟି ଲୋକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା। ଘର ବାହାରକୁ ବାହାରୁଥିବା ଲୋକମାନେ ଏହାର ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ଆଡ଼ପଦା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।
ମାଙ୍କଡ଼ର ଭୟରେ ଏବେ ଗ୍ରାମବାସୀମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଅନେକ ଲୋକ ହାତରେ ବାଡ଼ି ଧରି ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଶିଶୁ ଓ ବୃଦ୍ଧମାନଙ୍କ ସୁରକ୍ଷାକୁ ନେଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ସକ୍ରିୟ ହୋଇପଡ଼ିଛି। ମାଙ୍କଡ଼ଟିକୁ ଧରିବା ପାଇଁ ପାଞ୍ଚଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଖୁବଶୀଘ୍ର ମାଙ୍କଡ଼କୁ କାବୁ କରି ଗ୍ରାମବାସୀଙ୍କୁ ଆତଙ୍କରୁ ମୁକ୍ତି ଦେବାକୁ ସ୍ଥାନୀୟମାନେ ବନ ବିଭାଗ ନିକଟରେ ଦାବି କରିଛନ୍ତି।