ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଜୁନ ୧୭ରେ ଲଖନଉରେ ଖେଳାଯିବ । ଏହି ମୁକାବିଲା ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨-୦ରେ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଧର୍ମଶାଳାରେ ଖେଳା ଯାଇଥିବା ପ୍ରଥମ ବର୍ଷା ବାଧାପ୍ରାପ୍ତ ଦିନିକିଆରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା ।
ପ୍ରଥମ ମ୍ୟାଚରେ ପଦାର୍ପଣ କରିଥିବା ଗୁରନୁର ବରାର ୩ ୱିକେଟ୍ ନେଇ ଦଳ ବିଜୟରେ ବଡ ଯୋଗଦାନ ଦେଇଛନ୍ତି । ଅଧିନାୟକ ଶୁଭମନ ଗିଲ୍ ଅପରାଜିତ ୮୪ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ଏବେ ଦ୍ୱିତୀୟ ଦିନିକିଆ ଖେଳିବା ପାଇଁ ଭାରତୀୟ ଦଳ ଲଖନଉ ପହଞ୍ଚିଛି । ହେଲେ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ ।
ଭାରତୀୟ ଦଳ ଟେଷ୍ଟ ଜିତିବା ପରେ ଏବେ ଦ୍ୱିତୀୟ ଦିନିକିଆ ଜିତିବା ସ୍ଥିତିରେ ରହିଛି । ଏଥିପାଇଁ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ଗୋଟିଏ କି ଦୁଇଟି ପରିବର୍ତ୍ତନ କରିପାରେ । ବର୍ତ୍ତମାନ ଯାଏ କେବଳ ଯଶସ୍ୱୀ ଜୟସ୍ୱାଲ, କୁଲଦୀପ ଯାଦବ ଓ ପ୍ରିନ୍ସ ଯାଦବ ବେଞ୍ଚରେ ବସିଛନ୍ତି ।
ଯଶସ୍ୱୀ ଜୟସ୍ୱାଲ ଦୀର୍ଘ ସମୟ ଧରି ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇବା ପାଇଁ ଅପେକ୍ଷାରେ ଅଛନ୍ତି । ଅନୁମାନ କରାଯାଉଛି, ତାଙ୍କୁ ତିନି ନମ୍ବରରେ ସୁଯୋଗ ମିଳିପାରେ । ମାତ୍ର ପ୍ରଥମ ଦିନିକିଆରେ ଇଶାନ ତୃତୀୟ କ୍ରମରେ ବ୍ୟାଟିଂ କରି ୩୪ ରନର ଇନିଂସ ଖେଳି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି । ତେଣୁ ଜୟସ୍ୱାଲଙ୍କୁ ପୁଣି ଥରେ ବେଞ୍ଚରେ ବସିବାକୁ ପଡିପାରେ । କୁଲଦୀପ ଯାଦବଙ୍କୁ ମଧ୍ୟ ବାହାରେ ବସିବାକୁ ପଡିପାରେ । କାରଣ ବାମହାତୀ ସ୍ପିନର ହର୍ଷ ଦୁବେ ପ୍ରଥମ ଦିନିକିଆରେ ୩ଟି ୱିକେଟ ନେଇଥିଲେ । ତାଙ୍କୁ ଦ୍ୱିତୀୟ ଦିନିିକିଆରେ ସୁଯୋଗ ମିଳିପାରେ ।
ପ୍ରିନ୍ସ ଯାଦବଙ୍କୁ ସୁଯୋଗ ମିଳିପାରେ । ସେ ଘରୋଇ କ୍ରିକେଟ୍ ସହ ଆଇପିଏଲ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କୁ ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଦ୍ୱିତୀୟ ଦିନିକିଆରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା, ଶୁଭମନ ଗିଲ୍, ଇଶାନ କିଷନ, ଶ୍ରେୟସ ଆୟର, କେଏଲ ରାହୁଲ, ୱାଶିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, ହର୍ଷ ଦୁବେ, ଗୁରନୁର ବରାର, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ ।