ନୂଆଦିଲ୍ଲୀ: ଆଧୁନିକ କ୍ରିକେଟରେ ଫାବ୍ ୪ରେ ସାମିଲ୍ କେନ ୱିଲିୟମସନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏହା ସହିତ କ୍ରିକେଟ୍ ଜଗତରେ ଏକ ତାରକା ଖେଳାଳିଙ୍କ ଯୁଗର ଅନ୍ତ ଘଟିଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ୱିଲିୟମସନଙ୍କ ସନ୍ନ୍ୟାନ ନେଇ ଆନୁଷ୍ଠାନିକ ସୂଚନା ଦେଇଛି । କେନ ୱିଲିୟମସନ ୧୬ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ ଏବଂ ନ୍ୟୁଜିଲାଣ୍ଡ ପାଇଁ ଅନେକ କୀର୍ତ୍ତିମାନ ରଚିଛନ୍ତି ।
ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଝିରେ ସେ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସିରିଜ୍ର ପ୍ରଥମ ମ୍ୟାଚ୍ରେ କିୱି ଦଳ ପରାଜୟର ସମ୍ମୁଖୀନ ହେବା ପରେ ସେ କ୍ରିକେଟ୍ରୁ ଦୂରେଇ ଯିବାକୁ ଶ୍ରେୟସ୍କର ମଣିଛନ୍ତି।
ସିରିଜ୍ ମଝିରେ ହଠାତ୍ କାହିଁକି ନେଲେ ଅବସର ?
ୱିଲିୟମସନ୍ଙ୍କ ଏହି ଆକସ୍ମିକ ନିଷ୍ପତ୍ତି କ୍ରିକେଟ୍ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ସେ ଏହି ସିରିଜ୍ର ବାକି ମ୍ୟାଚ୍ ଗୁଡ଼ିକରେ ଆଉ ଖେଳିବେ ନାହିଁ ଏବଂ ଖୁବ୍ ଶୀଘ୍ର ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ। ନିଜ ଅବସର ନେଇ ଭାବୁକ ବାର୍ତ୍ତା ଦେଇ କେନ୍ କହିଛନ୍ତି ମୁଁ କିଛି ଦିନ ହେବ ଏହି ବିଷୟରେ ଚିନ୍ତା କରୁଥିଲି। କିନ୍ତୁ ବିଗତ କିଛି ଦିନର ଘଟଣାକ୍ରମ ପରେ ଏହା ସ୍ପଷ୍ଟ ହୋଇଗଲା ଯେ, କ୍ରିକେଟ୍ରୁ ଦୂରେଇ ଯିବାର ଏହା ହିଁ ସଠିକ୍ ସମୟ।
ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପାଇଁ ମୋ ଭିତରେ ସେହି ଭୋକ ସର୍ବଦା ରହିଆସିଛି। ମୁଁ ଗର୍ବିତ ଯେ, ନ୍ୟୁଜିଲାଣ୍ଡ ପାଇଁ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍ରେ ମୁଁ ମୋର ୧୦୦ ପ୍ରତିଶତ ଦେଇଛି। ଦଳ ପାଇଁ ଶତପ୍ରତିଶତ ଯୋଗଦାନ ନଦେଇ ଆଗକୁ ବଢ଼ିବା ଠିକ୍ ହୋଇନଥାନ୍ତା। ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ, ନିଜ ସର୍ତ୍ତରେ ମୁଁ କ୍ରିକେଟ୍ରୁ ବିଦାୟ ନେଉଛି।
ଏମିତି ଥିଲା କେନ୍ଙ୍କ କ୍ରିକେଟ୍ କ୍ୟାରିୟର
୨୦୧୦ ମସିହାରେ ଆନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିବା କେନ୍ ୱିଲିୟମସନ୍ କିୱି କ୍ରିକେଟ୍ ଇତିହାସର ସବୁଠାରୁ ସଫଳ ଏବଂ ସମ୍ମାନଜନକ ବ୍ୟାଟର ଭାବେ ବିଦାୟ ନେଇଛନ୍ତି।
ସର୍ବାଧିକ ରନ୍
ସେ ନିଜ ଦେଶ ପାଇଁ ମୋଟ ୩୭୮ଟି ମ୍ୟାଚ୍ ଖେଳି ତିନୋଟି ଯାକ ଫର୍ମାଟ୍ରେ ସର୍ବାଧିକ ୧୯,୩୪୬ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪୮ଟି ଶତକ ଏବଂ ୧୦୩ଟି ଅର୍ଦ୍ଧଶତକ ସାମିଲ ଅଛି।
ଟେଷ୍ଟ କ୍ରିକେଟ୍ର ବାଦଶାହ
ଟେଷ୍ଟ ଫର୍ମାଟ୍ରେ ସେ ପ୍ରତିପକ୍ଷ ବୋଲରଙ୍କ ପାଇଁ ପ୍ରାଚୀର ସାଜିଥିଲେ। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟରେ ସବୁଠାରୁ ସଫଳ ବ୍ୟାଟର ଭାବେ ୩୩ଟି ଶତକ ସହ ୯,୫୧୫ ରନ୍ କରିଛନ୍ତି।
ଆଇସିସି ଟ୍ରଫି ବିଜେତା କ୍ୟାପ୍ଟେନ୍
୨୦୧୬ ରୁ ୨୦୨୪ ମଧ୍ୟରେ ସେ କିୱି ଦଳର ଅଧିନାୟକତ୍ୱ କରିଥିଲେ। ତାଙ୍କରି ନେତୃତ୍ୱରେ ନ୍ୟୁଜିଲାଣ୍ଡ ୨୦୨୧ ମସିହାରେ ଭାରତକୁ ହରାଇ ପ୍ରଥମ 'ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍' ) ଟ୍ରଫି ଜିତି ଇତିହାସ ରଚିଥିଲା।
ତାଙ୍କ ଅଧିନାୟକତ୍ୱରେ ଦଳ ୨୦୧୯ ଦିନିକିଆ ବିଶ୍ୱକପ୍ ଏବଂ ୨୦୧ ଟି-୨୦୨୧ ବିଶ୍ୱକପ୍ର ଫାଇନାଲ୍ରେ ପ୍ରବେଶ କରିଥିଲା। ୨୦୧୯ ବିଶ୍ୱକପ୍ରେ ସେ ଚମତ୍କାର ପ୍ରଦର୍ଶନ କରି 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ଏବଂ ସେହି ବର୍ଷ ଆଇସିସିର ଶ୍ରେଷ୍ଠ ଟେଷ୍ଟ ଖେଳାଳି ବିବେଚିତ ହୋଇଥିଲେ।