ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା ।ଆଗାମୀ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଫିଟନେସ୍ ଟେଷ୍ଟ ପାସ୍ କରିବାର ମାତ୍ର ଗୋଟିଏ ଦିନ ପରେ ଏଭଳି ଏକ ନିରାଶଜନକ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କୁ ଚକିତ କରିଛି।
ସୂତ୍ର ଅନୁଯାୟୀ, ହାର୍ଦ୍ଦିକଙ୍କ ଗୋଡ଼ରେ ଏକ ସାମାନ୍ୟ ରକ୍ତ ଜମାଟ ବା ଆଘାତ ଲାଗିଛି। ଏହି କାରଣରୁ ତାଙ୍କୁ ଦିନିକିଆ ସିରିଜ୍ରୁ ଦୂରେଇ ରହିବାକୁ ପଡ଼ିଛି। ମେଡିକାଲ୍ ଟିମ୍ର ସୂଚନା ଅନୁସାରେ, ଏହା ଏକ 'ଲୋ-ଗ୍ରେଡ୍ ଇଞ୍ଜୁରୀ' ବା ସାମାନ୍ୟ ଆଘାତ। ଏହା ବେଶୀ ଗମ୍ଭୀର ନହେଲେ ମଧ୍ୟ ଆଗକୁ ଯେମିତି ସମସ୍ୟା ନବଢ଼େ, ସେଥିପାଇଁ ତାଙ୍କୁ ଆରାମ କରିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ହାର୍ଦ୍ଦିକଙ୍କୁ ବେଙ୍ଗାଲୁରୁ ସ୍ଥିତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରହି ନିଜର ଚିକିତ୍ସା ଓ ପୁନରୁଦ୍ଧାର ପ୍ରକ୍ରିୟା ଶେଷ କରିବାକୁ ହେବ।
ଜୁନ୍ ୧୩ରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ। ପୂର୍ବ ଯୋଜନା ଅନୁଯାୟୀ, ହାର୍ଦ୍ଦିକ ଜୁନ୍ ୧୧ରେ ଦଳ ସହ ଯୋଡ଼ି ହେବାର ଥିଲା। ମାତ୍ର ଏହି ହଠାତ୍ ଲାଗିଥିବା ଆଘାତ ଯୋଗୁଁ ବ୍ଲୁ-ଜର୍ସିରେ ମୈଦାନକୁ ଓହ୍ଲାଇବା ପାଇଁ ତାଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।
ଖାସ୍ କଥାହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟ ୧୪ ମାସ ପରେ ଦିନିକିଆ କ୍ରିକେଟ୍କୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଏବେ ବ୍ରେକ୍ ଲାଗିଯାଇଛି।
ବିସିସିଆଇ ନେବ କି ବଡ଼ ନିଷ୍ପତ୍ତି?
ହାର୍ଦ୍ଦିକ ସିରିଜ୍ରୁ ବାହାର ହେବା ପରେ ଏବେ ସମସ୍ତଙ୍କ ନଜର ବିସିସିଆଇ ଉପରେ ରହିଛି। ଚୟନ କମିଟି ହାର୍ଦ୍ଦିକଙ୍କ ବଦଳ ଖେଳାଳିଭାବେ ଅନ୍ୟ କୌଣସି ଅଲରାଉଣ୍ଡରଙ୍କ ନାମ ଘୋଷଣା କରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।