ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ରବିବାର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହି ଅବସରରେ ସେ ଅଧିକାରୀଙ୍କ ସହ ସଂକ୍ଷିପ୍ତ ବୈଠକ ମଧ୍ୟ କରିଛନ୍ତି । ପ୍ରହ୍ଲାଦଙ୍କ ପାଖରେ ପୂର୍ବରୁ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ରହିଛି।
ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରହ୍ଲାଦ ଯୋଶୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ଏହି ଗୁରୁଦାୟିତ୍ୱକୁ ସମ୍ପୂର୍ଣ୍ଣ କର୍ତ୍ତବ୍ୟବୋଧ ଏବଂ ନମ୍ରତା ସହ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ସେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ସର୍ବଶ୍ରେଷ୍ଠ ପ୍ରୟାସ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ଏହାସହ ସେ ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରିତା ଏବଂ ଅନ୍ୟାନ୍ୟ ପ୍ରମୁଖ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଛନ୍ତି।
ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ମନ୍ତ୍ରାଳୟ ସହିତ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି। ବର୍ତ୍ତମାନ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସାଙ୍ଗକୁ ତାଙ୍କୁ ଦେଶର ଶିକ୍ଷା ବ୍ୟବସ୍ଥାର ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି।
କର୍ଣ୍ଣାଟକର ବିଜୟପୁରା ଏକ ସାଧାରଣ ପରିବାରରେ ୧୯୬୨ ନଭେମ୍ବର ୨୭ରେ ଜନ୍ମଗ୍ରହଣ କରିଥିବା ପ୍ରହ୍ଲାଦ ଯୋଶୀ ପିଲାଦିନରୁ ହିଁ ସମାଜସେବା ଏବଂ ଜନହିତକର କାର୍ଯ୍ୟ ପ୍ରତି ଆଗ୍ରହୀ ଥିଲେ। ଛାତ୍ର ଜୀବନରୁ ସେ ବିଭିନ୍ନ ସାମାଜିକ ଆନ୍ଦୋଳନ ଓ ଜନସାଧାରଣଙ୍କ ସମସ୍ୟାକୁ ନେଇ ସକ୍ରିୟ ଭୂମିକା ଗ୍ରହଣ କରିଆସିଛନ୍ତି।
ଗତ କିଛି ଦିନ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ଛାତ୍ର ସଂଗଠନ ଓ ପ୍ରତିବାଦକାରୀମାନେ ପରୀକ୍ଷା ଅନିୟମିତତାକୁ ନେଇ ଆନ୍ଦୋଳନ ଜାରି ରଖିଥିଲେ। ଏହି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ନୈତିକ ଦାୟିତ୍ୱକୁ ଆଖିଆଗରେ ରଖି ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ।
Also Read: କାରଗିଲ ବିଜୟ ଦିବସ: ସାହସୀ ସୈନିକଙ୍କ ବୀରତ୍ୱକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ