ନୂଆଦିଲ୍ଲୀ: ନିଟ୍ (NEET) ପେପର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ମଧ୍ୟରେ କେନ୍ଦ୍ରୀୟ ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଏହି ମହତ୍ତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ନ୍ୟସ୍ତ କରିଛନ୍ତି। ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ପ୍ରହ୍ଲାଦ ଯୋଶୀଙ୍କ ଉପରେ ବଡ଼ ଦାୟିତ୍ୱ ରହିଛି।
ଧର୍ମେନ୍ଦ୍ର ପ୍ରଧାନ ନିଜ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବା ସହ ସୋସିଆଲ ମିଡିଆ ଜରିଆରେ ଏହାର ସୂଚନା ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।
କେତେ ଶିକ୍ଷିତ ନୂଆ ଶିକ୍ଷା ମନ୍ତ୍ରୀ ?
ଦେଶର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିବା ପ୍ରହ୍ଲାଦ ଯୋଶୀ କର୍ଣ୍ଣାଟକର ଧାରୱାଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସେ ଜଣେ କଳା ସ୍ନାତକ ଅଟନ୍ତି। ସେ କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ହୁବ୍ବାଳିର କେଏଲଇ ସୋସାଇଟିର ଜିଏଚ୍ କଲେଜରୁ ଆର୍ଟସରେ ଗ୍ରାଜୁଏସନ୍ ଶେଷ କରିଥିଲେ।
ରାଜନୀତିକୁ ଆସିବା ପୂର୍ବରୁ ସେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ର ସହ ଜଡ଼ିତ ଥିଲେ। ପରବର୍ତ୍ତୀ ସମୟରେ ବିଜେପିର ଜଣେ ବରିଷ୍ଠ ନେତା ଭାବେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସଫଳତାର ସହ ତୁଲାଇସାରିଛନ୍ତି। ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ଅସନ୍ତୋଷ ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ନୂଆ ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
Also Read: ପାଞ୍ଚ ବର୍ଷରେ ଦ୍ୱିଗୁଣିତ ହେଲା NTAର ଆୟ: ପରୀକ୍ଷା ପରିଚାଳନା ମାଧ୍ୟମରେ କମାଇଲା ୧୧୦୦ କୋଟିରୁ ଅଧିକ