ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଏ ନେଇ ବିଟ୍ଟୁ ନିଜେ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି ।
୨୦୨୪ ଅଗଷ୍ଟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଗତ ଜୁନ୍ ୨୧ରେ ରାଜସ୍ଥାନ ରାଜ୍ୟସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ରବନୀତ ସିଂ ବିଟ୍ଟୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହା ପରେ ସେ ତାଙ୍କର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶର ରାଷ୍ଟ୍ରମନ୍ତ୍ରୀଭାବେ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ରାଷ୍ଟ୍ରମନ୍ତ୍ରୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ବିଟ୍ଟୁ ପଞ୍ଜାବରୁ ତିନି ତିନି ଥର ସାଂସଦ ହୋଇଛନ୍ତି । ଆନନ୍ଦପୁର ଏବଂ ଲୁଧିଆନା ଆସନରୁ ଲଢ଼ିଥିଲେ । ୨୦୨୪ ମାର୍ଚ୍ଚରେ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । ଲୁଧିଆନା ଲୋକସଭା ଆସନରୁ ଲଢ଼ି ପରାଜିତ ହୋଇଥିବା ସତ୍ୱେ ସେହି ବର୍ଷ ଜୁନରେ ପୁନର୍ବାର ମୋଦୀ ସରକାର ଆସିବା ପରେ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନିତ ସିଂହଙ୍କ ନାତି ଅଟନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ ଜୁନ ୨୩ ତାରିଖରେ କ୍ୟାବିନେଟ୍ ମନ୍ତ୍ରୀ ପରିଷଦରୁ କେନ୍ଦ୍ର ମନ୍ତ୍ରୀ ଜର୍ଜ କୁରିଆନଙ୍କ ଇସ୍ତଫା ଦେଇଥିଲେ । ସେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ । ବିଟ୍ଟୁଙ୍କ ଇସ୍ତଫା ପରେ ଏବେ ଦୁଇଟି ବିଭାଗରେ ରାଷ୍ଟ୍ରମନ୍ତ୍ରୀ ପଦ ଖାଲି ହୋଇଛି । ଏମାନଙ୍କ ସ୍ଥାନରେ ଆଉ କାହାକୁ ସୁଯୋଗ ମିଳିବ କି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।