ନୂଆଦିଲ୍ଲୀ: NEET-UG ପରୀକ୍ଷା ପେପର ଲିକ୍ ବିବାଦକୁ ନେଇ କେନ୍ଦ୍ର ସରକାର ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦେଶବ୍ୟାପୀ ଛାତ୍ରଛାତ୍ରୀ ଏବଂ ବିରୋଧୀଙ୍କ ତୀବ୍ର ବିରୋଧ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଉପରେ ଚାଲିଛି ବଡ଼ କାର୍ଯ୍ୟାନୁଷ୍ଠାନ। NTAର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ପ୍ରଥମ ପଦକ୍ଷେପ ସ୍ୱରୂପ ୪୭ ଜଣ କର୍ମଚାରୀ ଓ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି
ବିଜ୍ଞପ୍ତି ଅନୁଯାୟୀ, NTAର କାର୍ଯ୍ୟପ୍ରଣାଳୀରେ ଅନିୟମିତତା ଏବଂ ଦାୟିତ୍ୱହୀନତା ଅଭିଯୋଗରେ ୪୭ ଜଣ ଅଫିସରଙ୍କୁ ସେବାରୁ ନିଲମ୍ବିତ/ବହିଷ୍କାର କରାଯାଇଛି। କେବଳ ଚାକିରିରୁ ବାହାର କରିବା ନୁହେଁ, ବରଂ ନିର୍ଦ୍ଦିଷ୍ଟ ଅଫିସରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ଯେ, ଏହା ମାତ୍ର ପ୍ରଥମ ପର୍ଯ୍ୟାୟ ସଫେଇ। ଆଗାମୀ ଦିନରେ NTAର ଆଉଟସୋର୍ସିଂ ମୋଡେଲ୍ ଓ ନିୟମାବଳୀରେ ବ୍ୟାପକ ପରିବର୍ତ୍ତନ କରାଯିବ।
ଦିଲ୍ଲୀର ଜନ୍ତର ମନ୍ତରଠାରେ ହଜାର ହଜାର ଛାତ୍ରଛାତ୍ରୀ, ଆନ୍ଦୋଳନକାରୀ ଏବଂ ବିଭିନ୍ନ ସଂଗଠନ ଏକାଠି ହୋଇ ନିରବଚ୍ଛିନ୍ନ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରମାନଙ୍କର ସ୍ପଷ୍ଟ ଦାବି— "ପରୀକ୍ଷା ପ୍ରଣାଳୀରେ ସ୍ୱଚ୍ଛତା ଆସୁ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ। ଅନ୍ୟପଟେ, କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କଠୋର ସଂଶୋଧନ ଆଣିବାକୁ ଚିଠା ବିଲ୍ ମଞ୍ଜୁର କରିଛନ୍ତି। ନୂଆ ନିୟମ ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍ କରୁଥିବା ରାକେଟ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ।