ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ କେନ୍ଦ୍ର ସରକାର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର କାର୍ଯ୍ୟପ୍ରଣାଳୀକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଶୁକ୍ରବାର ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ନିଟ୍ ପରୀକ୍ଷାରେ ପେପର ଲିକ୍ ଓ ଅନ୍ୟ ଅନିୟମିତତାକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଉଠା ଯାଉଥିବା ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖିବ । କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଥିଲେ ଯେ, ଭବିଷ୍ୟତରେ ଏହିପରି ଘଟଣାକୁ ରୋକିବା ପାଇଁ ଅନେକ ବଡ ଉପାୟ କରୁଛନ୍ତି ।
ନିଟ୍ ପରୀକ୍ଷାକୁ ସୁରକ୍ଷିତ ପ୍ରକ୍ରିୟାରେ ଆୟୋଜିତ କରିବା ପାଇଁ କରାଯାଉଥିବା ଅସ୍ଥାୟୀ ଉପାୟ ଉପରେ ଟିପ୍ପଣୀ କରି ସୁପ୍ରିମକୋର୍ଟ କହିଛନ୍ତି, ଅସ୍ଥାୟୀ ବ୍ୟବସ୍ଥା ଦ୍ୱାରା ଏହି ବଡ଼ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ପରୀକ୍ଷା ପ୍ରଣାଳୀକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ ଏକ ସ୍ଥାୟୀ ଓ ମଜବୁତ୍ ନିୟମାବଳୀର ଆବଶ୍ୟକତା ରହିଛି।
ପ୍ରଶ୍ନପତ୍ର ଡିଜିଟାଲ୍ ମାଧ୍ୟମରେ ହ୍ୟାକ୍ କିମ୍ବା ଲିକ୍ ନହେବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅତି କଠୋର ସାଇବର ସୁରକ୍ଷା ଏବଂ ଡାଟା ସୁରକ୍ଷା ପ୍ଲାନ୍ ମାଗିଛନ୍ତି ସୁପ୍ରିମ୍ କୋର୍ଟ।ଭବିଷ୍ୟତରେ ପେପର-ପେନ୍ ମୋଡ୍ ବଦଳରେ NEET-UG ପରୀକ୍ଷାକୁ କମ୍ପ୍ୟୁଟର ବେସଡ୍ ଟେଷ୍ଟ (CBT) ମୋଡ୍ରେ କରାଇବା ପାଇଁ ପ୍ରସ୍ତାବ ଦିଆଯାଇଛି।
ପୂର୍ବରୁ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶଗୁଡ଼ିକୁ NTA କିପରି ଓ କେବେ ସୁଦ୍ଧା ଲାଗୁ କରୁଛି, ସେ ନେଇ ସ୍ଥିତି ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅସ୍ଥାୟୀ ବ୍ୟବସ୍ଥା କରି ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ ନାହିଁ, ଆମକୁ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଓ ସୁରକ୍ଷିତ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ।
ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତଙ୍କୁ ଆଶ୍ୱାସନା ଦିଆଯାଇଛି ଯେ, ପ୍ରଶ୍ନପତ୍ରର ଗୁପ୍ତତା ବଜାୟ ରଖିବା ଏବଂ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ବୈଷୟିକ ଓ ସୁରକ୍ଷା ସଂସ୍କାର ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ।