ମାଲକାନଗିରି: ଓଡ଼ିଶାରେ ତେଲେଙ୍ଗାନା ପୋଲିସର ଦବଙ୍ଗଗିରି । ବିନା ୱାରେଣ୍ଟରେ ଯୁବକଙ୍କୁ ଉଠାଇ ନେଲା ରାଜ୍ୟ ବାହାର ପୋଲିସ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା କାମୱାଡା ପଞ୍ଚାୟତର ସୁମନ୍ ସରକାରକୁ ଗିରଫ କରିନେଇଯାଇଛି ପୋଲିସ ।
ସୁମନଙ୍କ ପରିବାରର ଅଭିଯୋଗ ମୁତାବକ, ଜୁଲାଇ ୧୮ ତାରିଖ ରାତି ପ୍ରାୟ ୧୨ଟା ସମୟରେ ତେଲେଙ୍ଗାନା ରାଜ୍ୟର ସୁଞ୍ଚୂପାଲି ଥାନାର କିଛି ପୋଲିସ କର୍ମଚାରୀ ଓ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନାର କିଛି ପୋଲିସ କାମୱାଡା ପଞ୍ଚାୟତର ସୁମନ ସରକାରଙ୍କ ଘରେ ପଶିଥିଲେ । ତାଙ୍କୁ ସାଧନ ସରକାର କହି ଘରୁ ଉଠାଇ ନେଇଥିଲେ । ପ୍ରଥମେ ସୁମନଙ୍କୁ ପଚରାଉଚରା କରିବାକୁ ପହଞ୍ଚି ଥିଲେ ଏବଂ ତେଲେଙ୍ଗାନା ପୋଲିସ ଆଣିଥିବା ୧୫ ଜଣ ବ୍ୟକ୍ତିଙ୍କ ତାଲିକା ମଧ୍ୟରେ କିନ୍ତୁ ସୁମନଙ୍କ ନାଁ କିମ୍ବା ଗାଁର ନାଁ ନ ଥିଲା । ସୁମନ ନିଜର ପରିଚୟ ଦେବା ସତ୍ୱେ ପୋଲିସ ଶୁଣି ନଥିଲା । ତାଙ୍କୁ ସାଧନ ସରକାର କହି ଉଠାଇ ନେଇଯାଇଥିଲା । ତାଙ୍କ ବିରୁଦ୍ଧରେ ଡିଜିଟାଲ ପ୍ରମାଣ ଥିବା କହି ନେଇଯାଇଥିଲେ । ପ୍ରଥମେ କୋରୁକୋଣ୍ଡା ଥାନାରେ ଅଟକ ରଖିବା ପରେ ତେଲେଙ୍ଗାନାକୁ ନେଇଯାଇଥିଲେ ।
ଶେଷରେ ପରିବାର ଲୋକେ ସୁମନଙ୍କୁ ଫେରାଇ ଆଣିବାକୁ ମାଲକାନଗିରି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।