ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟରେ ନିଟ୍ ପେପର୍ ଲିକ୍ ଏବଂ ଅନ୍ୟାନ୍ୟ ପରୀକ୍ଷାରେ ହୋଇଥିବା ଅନିୟମିତତା ମାମଲା ଗୁଡ଼ିକରେ ଉପରେ ଏକ କଠୋର ପଦକ୍ଷେପ ନିଆଯିବ ବୋଲି ନିଜେ ପ୍ରଧାନମନ୍ତ୍ରୀ ଭିଡ଼ିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର "ପେପର ଲିକ୍ ମାଫିଆ"ଙ୍କୁ ଆହୁରି କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ କରୁଥିବା ଲୋକଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ପେପର ଲିକ୍ ଘଟଣାର ଅଢ଼େଇ ମାସ ମଧ୍ୟରେ ଅନେକ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି, ଦୋଷୀମାନଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ବର୍ତ୍ତମାନ ଜେଲରେ ଅଛନ୍ତି। ସରକାରଙ୍କ ସର୍ବୋତ୍ତମ ପ୍ରାଥମିକତା ଥିଲା ଯେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାବର୍ଷ ନଷ୍ଟ ନ ହେଉ । କିପରି ୨୨ ଲକ୍ଷ ଛାତ୍ରଛାତ୍ରୀ ଯଥାଶୀଘ୍ର ପରୀକ୍ଷା ଦେଇପାରିବେ ତାହା ଉପରେ ସରକାର ଗୁରୁତ୍ୱାରୋପ କରିଥିଲେ । ୧୯ ଜୁଲାଇରେ ଫଳାଫଳ ଘୋଷଣା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ପରେ ମାମଲାର ତଦନ୍ତ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର କ୍ୟାବିନେଟରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ କଠୋର ଦଣ୍ଡ ପାଇଁ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହେବ । କ୍ୟାବିନେଟ ସହକର୍ମୀଙ୍କ ପରାମର୍ଶକୁ ସାମିଲ କରିବା ପରେ ଏହାକୁ ଚୂଡ଼ାନ୍ତ କରାଯିବ । ଯେହେତୁ ସୋମବାର ସଂସଦୀୟ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଛି, ତେଣୁ ବିଲ୍ କୁ ଯଥାଶୀଘ୍ର ଗୃହରେ ପାରିତ କରିବା ପାଇଁ ପ୍ରୟାସ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।