ପୁରୀ: ସରିଗଲା ଜନ୍ମବେଦୀରେ ଲୀଳାଖେଳା । ଏବେ ଶ୍ରୀମନ୍ଦିରକୁ ଲେଉଟିବେ ତିନି ଠାକୁର । ଶ୍ରୀଗୁଣ୍ଡିଚା ମନ୍ଦିରରେ ଗହଳି ଚହଳି ଲାଗିଲାଣି, ସେପଟେ ଶ୍ରୀଜୀଉଙ୍କ ଅପେକ୍ଷା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ଖୋଳ ତାଳରେ କମ୍ପୁଛି ଶରଧା ବାଲି । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବା ପହଣ୍ଡି ଯାତ୍ରା । ବିଶ୍ୱ ନିୟନ୍ତାଙ୍କୁ ଟିକେ ଚର୍ମ ଚକ୍ଷୁରେ ଦେଖିବାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ରୁଣ୍ଡ ହେଲେଣି ।
ଆଜି ହେଉଛି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀ ଛାଡ଼ି ବାହୁଡ଼ିବେ ରତ୍ନବେଦୀକୁ । ଏହାକୁ ବାହୁଡା଼ ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ପୌରାଣିକ ମତ ଅନୁସାରେ ରଥଯାତ୍ରାରେ ତିନି ଠାକୁର ଉତ୍ତରାଭିମୁଖୀ ଯାତ୍ରା କରନ୍ତି ଏବଂ ବାହୁଡ଼ା ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରନ୍ତି ।
ବାହୁଡ଼ା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରାଯାଇଛି । ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ଆଜି ସକାଳ ୪ଟାରେ ମଙ୍ଗଳ ଆଳତୀ, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ ରୋଷ ହୋମ ଶେଷ ହୋଇଛି । ଏହା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ୬ଟା ୪୫ ମଧ୍ୟରେ ଖେଚୁଡ଼ି ଭୋଗ ଲାଗି କରାଯିବ । ଏହା ପରେ ୭ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ମଧ୍ୟରେ ସେନା ପଟା ଲାଗି କରାଯିବ । ମଧ୍ୟାହ୍ନ ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ପହଣ୍ଡି ଆରମ୍ଭ ହେବ । ହୋଇ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥ ଟଣା ଆରମ୍ଭହେବ ବୋଲି ସୂଚନା ଦିଆଯାଇଛି ।
ସେପଟେ ବାହୁଡ଼ା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହିତ ଟ୍ରାଫିକ୍ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥାକୁ ପୂର୍ବପରି ବଳବତ୍ତର ରଖାଯାଇଛି । ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ରଥଯାତ୍ରାରେ ପୁରୀକୁ କେତେ ଯାନବାହାନ ଆସୁଛି ଓ ଯାଉଛି ତାହାର ମଧ୍ୟ ଗଣତି କରାଯିବ । ମାନୁଆଲ ଏବଂ ଏଆଇ ଟେକ୍ନୋଲୋଜିର ସାହାଯ୍ୟରେ ଯାନବାହାନର ଗଣତି ହେବ । ଯାତ୍ରୀଙ୍କ ପାଇଁ ୫୯୫ ସ୍ଥାୟୀ ଓ ୧,୦୫୦ ଅସ୍ଥାୟୀ ମୋଟ ୧,୬୪୫ଟି ସାଇନ୍ ବୋର୍ଡ ଲଗାଯାଇଛି । ଟ୍ରାଫିକ୍ ସୂଚନା ପାଇଁ ରାଜପଥ ଉପରେ ଏଲଇଡି ବ୍ୟବସ୍ଥା କରାଯାଇଛି । ପୁରୀକୁ ଆସୁଥିବା ଯାତ୍ରୀମାନେ ଟ୍ରାଫିକ୍ ବିଷୟରେ ସୂଚନା ପାଇପାରିବେ । ସେହିପରି ଉତ୍ତରା ଲିଙ୍ଗିପୁର ଠାରୁ ଭୁବନେଶ୍ୱର ଯାଏ ୨ଟି ଭ୍ରାମ୍ୟମାଣ ବା ମୋବାଇଲ୍ ଏଲଇଡି ବୁଲିବ । ମାଳତୀପାଟପୁରରେ ଟ୍ରାଫିକ୍ ଭିଡ଼ ଉପରେ ସୂଚନା ପ୍ରଦାନ କରାଯିବ । ୭୩ଟି ଟ୍ରାଫିକ୍ ଏଡ୍ ପୋଷ୍ଟ କରାଯାଇଛି । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩ଟି ଡ୍ରୋନ୍ ଏବଂ ୨୨୪ଟି ସିସିଟିଭି କ୍ୟାମେରା ଲଗାଯାଇଛି ।