ପୁରୀ: ରାତି ପାହିଲେ ବାହୁଡ଼ା ଯାତ୍ରା ଏବଂ ପରଦିନ ସୁନାବେଶ । ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଟ୍ରାଫିକ୍ ସୁପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ରଥଯାତ୍ରାର ଟ୍ରାଫିକ୍ ବ୍ୟବସ୍ଥା ବାହୁଡ଼ାରେ ବଳବତ୍ତର ରହିବ ବୋଲି ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଅଧିକାରୀ ଅତିରିକ୍ତ ଡିଜିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ରଥଯାତ୍ରାଠାରୁ ସୁନାବେଶ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରେ । ସୁନାବେଶରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ସେଥିପାଇଁ ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଇଥାଏ । ଟ୍ରାଫିକ୍ ସୂଚନା ମେସେଜ୍, ଏଲଇଡି ଭ୍ୟାନ୍, ଟିଭି, ଏଫ୍ ଏମ୍ ରେଡିଓ ମାଧ୍ୟମରେ ଦିଆଯାଉଛି । ବିଶେଷକରି ପୁରୀର ଆଖପାଖ ଅଞ୍ଚଳ ବିଶେଷକରି କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ଆସୁଥିବା ଯାତ୍ରୀଙ୍କୁ ଟ୍ରାଫିକ୍ ମାର୍ଗଦର୍ଶିକା ଏବଂ ସୂଚନା ବାବଦରେ ଅବଗତ ହୋଇ ଆସିବାକୁ ଅନୁରୋଧ କରିଛନ୍ତି । ଫଳରେ କୌଣସି ବ୍ୟକ୍ତି ଅଯଥା ଟ୍ରାଫିକରେ ଫସି ରହିବେ ନାହିଁ । ସେହିପରି ବର୍ଷା ଓ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ଟ୍ରାଫିକ୍ ପରିଚାଳନା ଏବଂ ପାର୍କିଂ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ । ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଅତିରିକ୍ତ 20 ପ୍ଲାଟୁନ୍ ଫୋର୍ସ ଯୋଗାଇ ଦିଆଯାଇଛି । ପୋଲିସ ପ୍ରଶାସନକୁ ସହଯୋଗ କରିବା ଏବଂ ସମସ୍ତ ମାର୍ଗଦର୍ଶିକାକୁ ପାଳନ କରିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଟ୍ରାଫିକ୍ ସୂଚନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ରଥଯାତ୍ରାରେ ପୁରୀକୁ କେତେ ଯାନବାହାନ ଆସୁଛି ଓ ଯାଉଛି ତାହାର ମଧ୍ୟ ଗଣତି କରାଯିବ । ମାନୁଆଲ ଏବଂ ଏଆଇ ଟେକ୍ନୋଲୋଜିର ସାହାଯ୍ୟରେ ଯାନବାହାନର ଗଣତି ହେବ । ଯାତ୍ରୀଙ୍କ ପାଇଁ ୫୯୫ ସ୍ଥାୟୀ ଓ ୧,୦୫୦ ଅସ୍ଥାୟୀ ମୋଟ ୧,୬୪୫ଟି ସାଇନ୍ ବୋର୍ଡ ଲଗାଯାଇଛି । ଟ୍ରାଫିକ୍ ସୂଚନା ପାଇଁ ରାଜପଥ ଉପରେ ଏଲଇଡି ବ୍ୟବସ୍ଥା କରାଯାଇଛି । ପୁରୀକୁ ଆସୁଥିବା ଯାତ୍ରୀମାନେ ଟ୍ରାଫିକ୍ ବିଷୟରେ ସୂଚନା ପାଇପାରିବେ । ସେହିପରି ଉତ୍ତରା ଲିଙ୍ଗିପୁର ଠାରୁ ଭୁବନେଶ୍ୱର ଯାଏ ୨ଟି ଭ୍ରାମ୍ୟମାଣ ବା ମୋବାଇଲ୍ ଏଲଇଡି ବୁଲିବ । ମାଳତୀପାଟପୁରରେ ଟ୍ରାଫିକ୍ ଭିଡ଼ ଉପରେ ସୂଚନା ପ୍ରଦାନ କରାଯିବ । ୭୩ଟି ଟ୍ରାଫିକ୍ ଏଡ୍ ପୋଷ୍ଟ କରାଯାଇଛି । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩ଟି ଡ୍ରୋନ୍ ଏବଂ ୨୨୪ଟି ସିସିଟିଭି କ୍ୟାମେରା ଲଗାଯାଇଛି ।
ଗାଡ଼ି ରହଣି ସ୍ଥାନ ବା ପାର୍କିଂ ବ୍ୟବସ୍ଥା
• ରଥଯାତ୍ରା ପାଇଁ ମୋଟ ୩୦ଟି ଗାଡ଼ି ରହଣି ସ୍ଥାନ କରାଯାଇଛି ।
• ୪ ଚକିଆ ଯାନ- ୨୨ଟି ପାର୍କିଂ ରହିଛି, ଯେଉଁଥିରେ ୧୮ଟି ସାଧାରଣ ଏବଂ ୪ଟି ପାସ୍ ଧାରୀଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ମୋଟ ଏକକାଳୀନ ୭,୭୩୦ ଗାଡ଼ି ରହିପାରିବା କ୍ଷମତା ରହିଛି ।
• ୨ ଚକିଆ ଯାନ- ୪ଟି ପାର୍କିଂ ସ୍ଥାନ । ମାଟିତୋଟାରେ ୧ ଓ ୨, ପୁରୁଣା ଜଗନ୍ନାଥ ବଲ୍ଲଭ ମଠ, ବ୍ଲୁ-ଫ୍ଲାଗ୍ ନିଳାଚଳ ଅଶୋକ । ଏଠାରେ ୧୫୦୦୦ ବାଇକ୍ ରହି ପାରିବ ।
• ବସ୍ ପାର୍କିଂ- ୪ଟି ସ୍ଥାନ- ମାଳତୀପାଟପୁର, ତାଳବଣିଆ, ସ୍ୱାମୀ ନାରାୟଣ ମନ୍ଦିର, ସମଙ୍ଗା- ୭୫୦ଟି ବସ୍ ରହିବାର ବ୍ୟବସ୍ଥା
• ୨୦୨୫ ତୁଳନାରେ ମୋଟ ପାର୍କିଂ କ୍ଷମତା ବୃଦ୍ଧି ପାଇଛି । ୨୦୨୫ରେ ୫,୬୩୦ କ୍ଷମତା ଥିଲା । ୨,୧୦୦, ପାସଧାରୀଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ତୀର୍ଥ କେନ୍ଦ୍ର (JBPC)ରେ ୨୭୦ ରେ ଗୋଟିଏ ଅତିରିକ୍ତ ମହଲା ରହିଛି ।
• ପାସଧାରୀଙ୍କ ପାଇଁ ୪ଟି ପାର୍କିଂ ସ୍ଥାନ ରହିଛି । ଜେବିପିସି, ୟାତ୍ରିକା, ଲୋକନାଥ ଏବଂ ନେଲ୍ ଫିଲ୍ଡ
• ଅଣ-ପାସଧାରୀଙ୍କ ପାଇଁ ୧୮ଟି ପାର୍କିଂ ସ୍ଥାନ ରହିଛି । ଯଥା- ସାମଙ୍ଗା, ସେଣ୍ଟ୍ରାଲ୍ ସ୍କୁଲ୍ ନିକଟରେ (ଏସସିଏସ୍ କଲେଜ୍ ଅଞ୍ଚଳ), ସେଣ୍ଟ୍ରାଲ୍ ସ୍କୁଲ୍ ଭିତରେ, ଶ୍ରୀ ସେତୁ (ସର୍କୁଲାର୍ ଫିଲ୍ଡ), ଭୂଦାନ, ଜେଲ୍ ରୋଡ୍ ପାର୍କିଂ / ପୁରୁଷୋତ୍ତମ ପାର୍କିଂ ସ୍ଥାନ (ଆକସ୍ମିକ), ଆଇଟିଆଇ କଲେଜ ପାର୍କିଂ, ହେଲିପ୍ୟାଡ୍, ଉଦ୍ୟାନ କୃଷି ପାର୍କିଂ, ଓଲା ଗେଷ୍ଟ ହାଉସ୍, ତାଳବଣିଆ ମାଛ ମାର୍କେଟ୍ ଏବଂ ସଂଲଗ୍ନ କ୍ଷେତ୍ର, ଇନଡୋର ଷ୍ଟାଡିୟମ୍, ଷ୍ଟର୍ଲିଂ ଛକ ପାର୍କିଂ (ଶନି ମନ୍ଦିର ପାର୍ଶ୍ୱ), ତାଜ୍ ହୋଟେଲ୍ ନିକଟରେ ପାର୍କିଂ (ଷ୍ଟର୍ଲିଂ ଛକ), ଷ୍ଟର୍ଲିଂ ଛକ ରାସ୍ତା ତଳେ ପାର୍କିଂ, ହୋଟେଲ୍ ଷ୍ଟର୍ଲିଂ ଆଡକୁ ଷ୍ଟର୍ଲିଂ ଛକ ରାସ୍ତା ପାର୍ଶ୍ୱରେ ପାର୍କିଂ ବ୍ୟବସ୍ଥା ହୋଇଛି ।
• ସେହିପରି ସୁନାବେଶ ପାଇଁ ଶରଧାବାଲି ପାର୍କିଂ (ସୁନାବେଶ) ଓ ସ୍ୱସ୍ତିରୁ ଷ୍ଟର୍ଲିଂ ରୋଡ୍ (ସୁନାବେଶ) ପାର୍କିଂ ବ୍ୟବସ୍ଥା ରହିଛି ।