ଗଜପତି: ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ପରିସରରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ମେଡିସିନ୍ ଷ୍ଟୋର ନିକଟରେ ଥିବା ଏକ ପରିତ୍ୟକ୍ତ ଘର ଏବଂ ଅଳିଆ ଗଦାରେ ପୁଳାପୁଳା ଔଷଧ ପଡ଼ିଥିବା ଦେଖାଯାଇଛି। ଆଶ୍ଚର୍ଯ୍ୟର କଥା, ସେଥିରୁ କିଛି ଔଷଧର ଏକ୍ସପାୟରି ସମୟ ସରିଥିବା ବେଳେ, ଆଉ ଅନେକ ଔଷଧର ଅବଧି ଏଯାବତ୍ ଶେଷ ହୋଇନାହିଁ।
ଏତେ ପରିମାଣର ଔଷଧ କେଉଁଠୁ ଆସିଲା ଏବଂ କିଏ ଏଭଳି ଖୋଲାରେ ଫିଙ୍ଗିଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଶେଷକରି ଏକ୍ସପାୟରି ଔଷଧ ନଷ୍ଟ କରିବା ପାଇଁ ସରକାରଙ୍କ ନିର୍ଦ୍ଦିଷ୍ଟ ନିୟମ ଥିବା ସତ୍ତ୍ୱେ ସେଗୁଡ଼ିକୁ ଖୋଲାରେ ପକାଯିବା ଅବହେଳାକୁ ପଦାରେ ପକାଇଛି।
ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ସନ୍ଦେହ ପ୍ରକାଶ ପାଇଛି। ଏପରି ଅବ୍ୟବସ୍ଥା ରୋଗୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପାରଦର୍ଶିତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ସେପଟେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ କରାଯିବ ଏବଂ ଯଦି କୌଣସି ଅବହେଳା କିମ୍ବା ଅନିୟମିତତା ଧରାପଡ଼େ, ତେବେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।