ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ହାଇଆଲର୍ଟରେ ରହିଛି । ତେବେ ଓଡ଼ିଶାରେ କୋଭିଡ୍ ପରିସ୍ଥିତି ଗୁରୁତର ନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ରାଜ୍ୟରେ ତିନି ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଅଟନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଘରେ ସଂଘରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟ ଜଣେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । କିନ୍ତୁ ରାଜ୍ୟରେ କୋଭିଡ୍ ସ୍ଥିତି ନାହିଁ । କୋଭିଡ୍ ବର୍ତ୍ତମାନ ଏକ ସାଧାରଣ ଇନଫ୍ଲଏଞ୍ଜା ଭଳି ହୋଇଯାଇଛି । ସାଧାରଣ ଥଣ୍ଡା ଜ୍ୱର ଭଳି କୋଭିଡ୍ । ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆନ୍ଧ୍ର ପ୍ରଦେଶରେ ୧୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି।