କେନ୍ଦୁଝର: ଏକ ଥାଡ଼ି ଗାଡ଼ି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ରଜିଆ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହାକୁ ମିଶାଇ ଗତ ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଛନ୍ତି । ଢେଙ୍କାନାଳରେ ମଧ୍ୟ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି ।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ସିଜୁକଳା ଗ୍ରାମର ତ୍ରିଲୋଚନ ଆପଟଙ୍କ ପେଟ ଯନ୍ତ୍ରଣା ହୋଇଥିଲା । ପୁଅ ରଞ୍ଜିତ ଏକ ଥାର୍ ଗାଡ଼ିରେ ବାପାଙ୍କୁ ନେଇ ଚମ୍ପୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ । ସାଙ୍ଗରେ ତ୍ରିଲୋଚନଙ୍କ ସ୍ତ୍ରୀ କଇଫୁଲ ଆପଟ ଓ ଦାଦା ଭାସ୍କର ଆପଟ ମଧ୍ୟ ଥିଲେ । ୨୦ ନମ୍ବର ଜାତୀୟ ରଜିଆ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଆମ୍ବ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ଭାସ୍କର ଆପଟଙ୍କର ମୃତ୍ୟୁ ହୋଇଥିବେଳେ ସ୍ଥାନୀୟ ଲୋକେ ଚମ୍ପୁଆ ଅଗ୍ନିଶମ ବିଭାଗ ସହାୟତାରେ ଅନ୍ୟ ତିନି ଜଣକୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ଆଣିଥିଲେ। ଆହତ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ରାସ୍ତାରେ ବାପା ତ୍ରିଲୋଚନ ଓ ମାଆ କଇଫୁଲଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ରଞ୍ଜିତକୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଚମ୍ପୁଆ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ଗାଡ଼ି ପୋଖରୀ ଭିତରକୁ ଗାଡ଼ିଟି ପଶିଯିବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରାମ ସାହୁ (୨୫), ଅବିନାଶ ସାହୁ (୨୬), ରାକେଶ କୁମାର ସାହୁ (୨୫), ଚନ୍ଦ୍ରକାନ୍ତ ସ୍ବାଇଁ (୨୭) ଏବଂ ଅନ୍ୟ ଜଣେ। ସମସ୍ତ ମୃତକ ବାଙ୍ଗୁରସିଂହ ଗ୍ରାମର ବୋଲି ଜଣାପଡ଼ିଛି ।