ପୁରୀ: ସରି ଆସିଲା ଜନ୍ମବେଦୀରେ ଲୀଳାଖେଳା, ରାତି ପାହିଲେ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ତିନି ଠାକୁର । ଖାଁ ଖାଁ ହୋଇଯିବ ଗୁଣ୍ଡିଚା ଘର । ଆସନ୍ତାକାଲି ଅନୁଷ୍ଠିତ ହେବ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ଗୋଟିଏ ଦିନ ପାଇଁ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ଆଜି ସନ୍ଧ୍ୟା ୬ ପର୍ଯ୍ୟନ୍ତ ଆଡ଼ପ ଦର୍ଶନ ଜାରି ରହିବ । ସନ୍ଧ୍ୟା ପରଠାରୁ ଦର୍ଶନ ବନ୍ଦ ହୋଇଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବାହୁଡ଼ା ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ ବନ୍ଦ ହେବା ପରେ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସକାଳ ନୀତିକାନ୍ତି, ପହଣ୍ଡି, ଛେରା ପହଁରା, ରଥ ଟଣା ଇତ୍ୟାଦି ନୀତିକାନ୍ତି କିପରି ସମୟାନୁସାରେ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।
ଅନ୍ୟପକ୍ଷେ ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେଣୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାର ସମ୍ଭାବନା ରହିଛି । ରଥଯାତ୍ରାରେ ପ୍ରବଳ ବର୍ଷା ଯୋଗୁଁ ମହାପ୍ରଭୁଙ୍କ ଟାହିଆ ଭାଙ୍ଗିବା ସହିତ ପହଣ୍ଡି ମଧ୍ୟ ବିଳମ୍ବ ହୋଇଥିଲା ।
ବାହୁଡ଼ାରେ ମଧ୍ୟ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭିଡ଼ ପରିଚାଳନା, ଆମ୍ବୁଲାନ୍ସ କରିଡର୍, ଟ୍ରାଫିକ୍ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯାଇଛି ।
ଗତକାଲି ମୁଖ୍ୟମନ୍ତ୍ରୀ ବାହୁଡ଼ା ପ୍ରସ୍ତୁତି ସମୀକ୍ଷା କରି ଭିଡ଼ ପରିଚାଳନା ଓ ସୂଚନା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ପ୍ରଶାସନର ସମସ୍ତ ମାର୍ଗଦର୍ଶିକାକୁ ଅନୁସରଣ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ।