ପୁରୀ: ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି। ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ପ୍ରବେଶ ପଥ ଓ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି।
ବ୍ରହ୍ମଗିରି ପଟୁ ଆସୁଥିବା ଦୁଇଚକିଆ ଯାନ ମଙ୍ଗଳାଘାଟ ଦେଇ ଓଲ୍ଡ ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ମାଟିଟୋଟା ପ୍ଲେ ଗ୍ରାଉଣ୍ଡ ପାର୍କିଂ ପର୍ଯ୍ୟନ୍ତ ଯାଇପାରିବ। ସେହିପରି ମଙ୍ଗଳାଘାଟ ଓ ଶ୍ରୀସେତୁ ଦେଇ ମାଟିଟୋଟା ହେଲିପ୍ୟାଡ୍ ଗ୍ରାଉଣ୍ଡରେ ମଧ୍ୟ ପାର୍କିଂ ସୁବିଧା ରହିଛି।
ଭୁବନେଶ୍ୱର ପଟୁ ଆସୁଥିବା ଯାନ ମାଳତୀପାଟପୁର–ବାଟଗାଁ–ମଙ୍ଗଳାଘାଟ ରାସ୍ତା ଦେଇ ଓଲ୍ଡ ଜଗନ୍ନାଥ ବଲ୍ଲଭ ଓ ମାଟିଟୋଟା ପ୍ଲେ ଗ୍ରାଉଣ୍ଡ ପାର୍କିଂରେ ପହଞ୍ଚିପାରିବ। ପାର୍କିଂ ସ୍ଥାନ ପୂର୍ଣ୍ଣ ହେଲେ ଯାନଗୁଡ଼ିକୁ ମାଟିଟୋଟା ହେଲିପ୍ୟାଡ୍ ଗ୍ରାଉଣ୍ଡକୁ ପଠାଯିବ।
କୋଣାର୍କ ପଟୁ ଆସୁଥିବା ଭକ୍ତମାନେ ଗ୍ରିଡ୍ ଷ୍ଟେସନ ଛକ–ଭୂଦାନ ଛକ–ତାଳବଣିଆ–ସିଟି ରୋଡ୍–ସୁଭାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ୍ ବିଚ୍ ଓ ନୀଳାଚଳ ଅଶୋକ ପାର୍କିଂରେ ନିଜ ଯାନ ରଖିପାରିବେ।
ଭକ୍ତମାନଙ୍କ ସୁବିଧା ଓ ଟ୍ରାଫିକ୍ ଜାମ୍ ଏଡ଼ାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ପୁରୀ ପୁଲିସ କହିଛି। କୌଣସି ସହାୟତା ଆବଶ୍ୟକ ହେଲେ ପୁରୀ ପୁଲିସର WhatsApp Chatbot (+91 87631 99400) କିମ୍ବା ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨ରେ ଯୋଗାଯୋଗ କରିବାକୁ ପୁଲିସ ପରାମର୍ଶ ଦେଇଛି। ପୁଲିସ ଜାରି କରିଥିବା ନିର୍ଦ୍ଦେଶିକାକୁ ପାଳନ କଲେ ଭକ୍ତମାନେ ସୁରକ୍ଷିତ ଓ ସୁବିଧାଜନକ ଭାବେ ବାହୁଡ଼ା ଯାତ୍ରା ଓ ସୁନାବେଶ ଦର୍ଶନ କରିପାରିବେ।