ମାଲକାନଗିରି: ଦକ୍ଷିଣ ଓଡ଼ିଶାର ବିକାଶ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ବହୁ ପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦରରେ ବୁଧବାର ସଫଳତାର ସହ ଟ୍ରାଏଲ ରନ୍ ସମ୍ପନ୍ନ ହୋଇଛି। ଏହା ସହିତ ଜିଲ୍ଲାରେ ନିୟମିତ ବିମାନ ସେବା ଆରମ୍ଭ ହେବା ଆଉ ଏକ ପାଦ ଆଗକୁ ବଢ଼ିଛି।
ଟ୍ରାଏଲ ରନ୍ ସମୟରେ IndiaOne Airର ଏକ ୯ ଆସନ ବିଶିଷ୍ଟ ବିମାନ ସୁରକ୍ଷିତ ଭାବେ ମାଲକାନଗିରି ବିମାନବନ୍ଦରରେ ଅବତରଣ କରିଥିଲା। ବିମାନ ଅବତରଣ ପରେ ପ୍ରଶାସନ ପକ୍ଷରୁ ପାରମ୍ପରିକ ୱାଟର କ୍ୟାନନ୍ ସାଲ୍ୟୁଟ୍ ମାଧ୍ୟମରେ ବିମାନକୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ, ବିମାନବନ୍ଦର କର୍ତ୍ତୃପକ୍ଷ, ସୁରକ୍ଷା ସଂସ୍ଥା ଓ IndiaOne Airର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଟ୍ରାଏଲ ରନ୍ ପରେ ବିମାନର ପାଇଲଟ୍ କହିଛନ୍ତି ଯେ, ରନୱେର ସ୍ଥିତି, ଅବତରଣ ବ୍ୟବସ୍ଥା, ସୁରକ୍ଷା ମାନଦଣ୍ଡ ଏବଂ ବିମାନବନ୍ଦରର ଅନ୍ୟାନ୍ୟ ସୁବିଧାର ବିସ୍ତୃତ ଯାଞ୍ଚ କରାଯିବ। ଏହାପରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏକ ଚୂଡ଼ାନ୍ତ ରିପୋର୍ଟ ଦିଆଯିବ। ପ୍ରାରମ୍ଭିକ ମୂଲ୍ୟାଙ୍କନରେ ବିମାନବନ୍ଦରର ଭିତ୍ତିଭୂମି ଓ ପରିଚାଳନା ବ୍ୟବସ୍ଥା ସନ୍ତୋଷଜନକ ଥିବା ଜଣାପଡ଼ିଛି। ତେବେ ସମସ୍ତ ନିୟାମକ ପ୍ରକ୍ରିୟା ଶେଷ ହେବା ସହ ଚୂଡ଼ାନ୍ତ ଅନୁମୋଦନ ମିଳିବା ପରେ ହିଁ ନିୟମିତ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବ।
ଦୀର୍ଘ ଦିନ ଧରି ଏହି ଅଞ୍ଚଳର ଲୋକେ ବିମାନ ସେବାକୁ ଅପେକ୍ଷା କରିଥିଲେ। ନିୟମିତ ଉଡ଼ାଣ ଆରମ୍ଭ ହେଲେ ମାଲକାନଗିରି ଓ ଆଖପାଖ ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି ଜରୁରୀକାଳୀନ ଚିକିତ୍ସା ସେବା, ଛାତ୍ରଛାତ୍ରୀଙ୍କ ଯାତାୟାତ, ବ୍ୟବସାୟ, ପର୍ଯ୍ୟଟନ ଏବଂ ନିବେଶ କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ ବୋଲି ସ୍ଥାନୀୟ ଲୋକ ଆଶା ପ୍ରକାଶ କରିଛନ୍ତି।
ମାଲକାନଗିରି ବିମାନବନ୍ଦରର ଏହି ସଫଳ ଟ୍ରାଏଲ ରନ୍ ଦକ୍ଷିଣ ଓଡ଼ିଶାର ବିକାଶ ଯାତ୍ରାକୁ ନୂଆ ଗତି ଦେବା ସହ ଜିଲ୍ଲାକୁ ଦେଶର ଅନ୍ୟ ପ୍ରମୁଖ ସହର ସହ ଯୋଡ଼ିବାରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।