ଗଞ୍ଜାମ: ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲରେ ନୂଆ COVID-19 ସଂକ୍ରମଣ ଚିହ୍ନଟ ହୋଇଥିବା ଖବରକୁ ନେଇ ସୃଷ୍ଟି ହୋଇଥିବା ଆତଙ୍କ ମଧ୍ୟରେ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି ମେଡିକାଲ ଅଧୀକ୍ଷକ ଡା. ସୁଦୀପା ଦାସ। ସେ ସ୍ପଷ୍ଟ କରିଛନ୍ତି ଯେ ଏମ୍.କେ.ସି.ଜି. ହସ୍ପିଟାଲରେ କୌଣସି ନୂଆ COVID-19 ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ ଏବଂ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସଂକ୍ରମଣ ସାମ୍ନାକୁ ଆସିନାହିଁ।
ହସ୍ପିଟାଲର ମେଡିସିନ୍ ବିଭାଗରେ ଭର୍ତ୍ତି ଥିବା ଜଣେ ରୋଗୀଙ୍କ ଶରୀରରେ COVID-19 ପଜିଟିଭ୍ ଥିବା ନେଇ କିଛି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରଚାର ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଏହି ସମସ୍ତ ଖବରକୁ ଗୁଜବ ବୋଲି କହି ଡା. ଦାସ ସ୍ପଷ୍ଟ କରିଛନ୍ତି ଯେ ଉକ୍ତ ରୋଗୀଙ୍କଠାରେ ଶ୍ୱାସକ୍ରିୟା ଜନିତ କିଛି ଲକ୍ଷଣ ଦେଖାଯାଇଥିବାରୁ ଡାକ୍ତରମାନେ ସତର୍କତା ସ୍ୱରୂପ COVID ପରୀକ୍ଷା ପାଇଁ ପରାମର୍ଶ ଦେଇଥାଇପାରନ୍ତି। ଏହାକୁ COVID ସଂକ୍ରମଣ ବୋଲି ପ୍ରଚାର କରିବା ଠିକ୍ ନୁହେଁ।
ସେ କହିଛନ୍ତି, ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ହସ୍ପିଟାଲରେ କୌଣସି COVID ପଜିଟିଭ୍ ରିପୋର୍ଟ ମିଳିନାହିଁ। ତେଣୁ ଲୋକମାନେ କୌଣସି ଗୁଜବକୁ ବିଶ୍ୱାସ ନକରି ସରକାରୀ ସୂଚନା ଉପରେ ଭରସା ରଖିବାକୁ ସେ ଅନୁରୋଧ କରିଛନ୍ତି।
ଅନ୍ୟପଟେ, ଲଗାଣ ବର୍ଷା ଓ ପାଗର ପରିବର୍ତ୍ତନ କାରଣରୁ ଭାଇରାଲ୍ ଜ୍ୱର, ସର୍ଦ୍ଦି, କାଶ ଓ ଶ୍ୱାସକ୍ରିୟା ସମସ୍ୟାରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା କଥା ମେଡିକାଲ ଅଧୀକ୍ଷକ ସ୍ୱୀକାର କରିଛନ୍ତି। ତେବେ ଏହି ସାଧାରଣ ଋତୁକାଳୀନ ଭାଇରାଲ୍ ଜ୍ୱରକୁ COVID-19 ସହ ଯୋଡ଼ି ଦେଖିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ଡା. ଦାସ ଜନସାଧାରଣଙ୍କୁ ଅଯଥା ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ସର୍ଦ୍ଦି, କାଶ କିମ୍ବା ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନେବା, ସ୍ୱଚ୍ଛତା ବଜାୟ ରଖିବା ଓ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ବିଶେଷକରି ଗୁଜବ ଓ ଅପ୍ରମାଣିତ ଖବର ପ୍ରଚାର ନକରି ସଠିକ୍ ସୂଚନାକୁ ହିଁ ବିଶ୍ୱାସ କରିବାକୁ ହସ୍ପିଟାଲ ପକ୍ଷରୁ ଆହ୍ୱାନ କରାଯାଇଛି।