ନୂଆଦିଲ୍ଲୀ: ପୁଣି ସୀମାରେ ଆତଙ୍କବାଦୀ ସକ୍ରିୟ ହୋଇଛନ୍ତି । ବୁଧବାର ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଅନନ୍ତନାଗ ଜିଲ୍ଲାର ଲାଲ ଚୌକରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀଙ୍କ ଗୁଳିରେ ଜମ୍ମୁ କାଶ୍ମୀର ପୋଲିସର ଜଣେ ହେଡ୍ କନଷ୍ଟେବଳ ସହିଦ ହୋଇଛନ୍ତି । ସେ ହେଲେ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଆଶିକ ହୁସୈନ କ୍ୟୁରେସି । ସେ ବଡ଼ଗାମ ବିରୱାହ ଗ୍ରାମର ବାସିନ୍ଦା ଅଟନ୍ତି । ସେ ଅମରନାଥ ଯାତ୍ରା ଡ୍ୟୁଟିରେ ଥିବାବେଳେ ଏହି ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଅନନ୍ତନାଗ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଆକ୍ରମଣ ପରେ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି ।
ସେପଟେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଡିଜିପି ନଳିନୀ ପ୍ରଭାତଙ୍କ ସହିତ ଆଲୋଚନା କରିଛନ୍ତି । ଉପରାଜ୍ୟପାଳ ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଗତବର୍ଷ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆକ୍ରମଣ ପରେ ଏହା ପ୍ରଥମ ଆତଙ୍କବାଦୀ ଆକ୍ରମଣ ଘଟଣା । ପହଲଗାମ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବାବେଳେ ଭାରତ ଅପରେସନ୍ ସିନ୍ଦୂର ଜରିଆରେ ପାଲଟା ସୀମା ପାର ଜବାବ ଦେଇଥିଲା । ଏହା ସହିତ ପାକିସ୍ତାନ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଥିଲା ।