ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ମାମଲାରେ ପୂର୍ବତନ ଆଇଏଏସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କ ପରେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରିଛି କ୍ୟାପିଟାଲ୍ ଥାନା ପୋଲିସ । ଆସନ୍ତା ୨୫ ତାରିଖ ଦିନ ୧୧ଟାରେ ଏସିପି ଜୋନ୍-୧ଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସାଥିରେ ମାମଲାରେ ଜଡ଼ିତ ଥିବା ସମସ୍ତ ଦସ୍ତାବିଜ, ବୈଦ୍ୟୁତିକ ସାମଗ୍ରୀ ଆଦି ଆଣିବାକୁ ନିର୍ଦ୍ଦେଶରେ କୁହାଯାଇଛି ।
ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତ ଫାଇଲ୍ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ଫାଇଲ୍ ଗାୟବ ହେବା ମାମଲାରେ କ୍ୟାପିଟାଲ ଥାନା ପୋଲିସ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମାଙ୍କୁ ନୋଟିସ୍ ଜାରି କରିଥିଲା । ଗତ ୧୮ ତାରିଖରେ ମନୋଜ ମିଶ୍ର ଥାନାରେ ହାଜର ହୋଇଥିଲେ । ଆଜି ସକାଳ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ ରାଜେଶ ବର୍ମାଙ୍କୁ ନୋଟିସ୍ ହୋଇଥିଲା । କିନ୍ତୁ ରାଜେଶ ବର୍ମା ଥାନାରେ ହାଜର ହୋଇ ନାହାଁନ୍ତି ।
ସେପଟେ ପୋଲିସ ମହାନିର୍ଦ୍ଦେଶକ ୱାବି ଖୁରାନିଆ ତଦନ୍ତର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ପର୍ଯ୍ୟାୟ କ୍ରମେ ନୋଟିସ୍ ଜାରି କରାଯିବା ସହିତ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରାଯାଉଛି । ଯିବେ ବି ଦୋଷୀ ହୋଇଥିବେ ଧରାପଡ଼ିବେ ବୋଲି ଡିଜିପି କହିଛନ୍ତି ।