ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଆମ୍ବେଦକର ଛକରେ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି। ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାଙ୍କ ସହ ସ୍ଥାନୀୟ ବାସିନ୍ଦାମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଖଡ଼ିଆଳର ଆମ୍ବେଦକର ଛକ ସହରର ଏକ ବ୍ୟସ୍ତ ଓ ଜନଗହଳିପୂର୍ଣ୍ଣ ସ୍ଥାନ। ପ୍ରତିଦିନ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ, ମହିଳା ଏବଂ ଶହ ଶହ ସାଧାରଣ ଲୋକ ଯାତାୟାତ କରୁଛନ୍ତି। ଏଭଳି ସ୍ଥାନରେ ବିଦେଶୀ ମଦ ଦୋକାନ ଖୋଲାଯିବା ଫଳରେ ସମାଜ ଉପରେ ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ।
ସ୍ଥାନୀୟ ମହିଳାମାନେ ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଆଜି ଶୋଭାଯାତ୍ରା କରି ମହିଳାମାନେ ଆମ୍ବେଦକର ଛକରେ ପହଞ୍ଚି ମଦ ଦୋକାନକୁ ଘେରାଉ କରିବା ସହ ସରକାର ଓ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ। ତୁରନ୍ତ ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଏସଏଚଜି ମହିଳାମାନେ ଚେତାବନୀ ଦେଇଛନ୍ତି।