ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ ଫାଇଲ ଗାଏବ ହେବା ଘଟଣାରେ ଜଣକ ପରେ ଜଣେ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି । ଆଜି ଆଉ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍ ପଠାଯାଇଛି । ସେ ଏହି ମାମଲାରେ ନୋଟିସ୍ ପାଇଥିବା ଚତୁର୍ଥ ବ୍ୟକ୍ତି ଅଟନ୍ତି । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଉପେନ୍ଦ୍ର ବେହେରାଙ୍କୁ ହାଜର ନିର୍ଦ୍ଦେଶ ରହିଛି ।
ସେହିପରି ନିର୍ଦ୍ଧାରିତ ସମୟରେ ହାଜର ହୋଇନଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମାଙ୍କୁ ସାନି ନୋଟିସ୍ ଜାରି ହୋଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ହାଜର ପାଇଁ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ୍ ହୋଇଛି । ଏସିପି ଜୋନ୍-୧ଙ୍କ ପାଖରେ ହାଜର ପାଇଁ ଉଲ୍ଲେଖ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତ ଫାଇଲ୍ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ଫାଇଲ୍ ଗାଏବ ହେବା ପରେ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ପୋଲିସ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର , ରାଜେଶ ବର୍ମା ଏବଂ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରିସାରିଛି । ଗତ ୧୮ ତାରିଖରେ ମନୋଜ ମିଶ୍ର ଥାନାରେ ହାଜର ହୋଇଥିଲେ । କିନ୍ତୁ ରାଜେଶ ବର୍ମା ଗତକାଲି ଥାନାରେ ହାଜର ହୋଇ ନଥିଲେ ।