ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ ଫାଇଲ୍ ହଜିବା ଘଟଣାରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ମାମଲାରେ ଚାରି ଚାରି ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ନୋଟିସ୍ ପରେ ଚର୍ଚ୍ଚା ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିଆନଙ୍କୁ ନୋଟିସ ଯିବା ପରେ ଏହା ଅଧିକ ଆଲୋଚ୍ୟ ବିଷୟ ହୋଇଛି । ଏଥିପାଇଁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି ।
ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପାଣ୍ଡିଆନଙ୍କୁ ନୋଟିସ୍ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା କହି ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି । ସମ୍ବିତ କହିଛନ୍ତି ଫାଇଲ ହଜିବା ଘଟଣା ସରକାର ଆସିବାର ଅଢ଼େଇ ବର୍ଷ ପରେ କାହିଁକି ଫାଇଲ ହଜିବା ଘଟଣା ଉଠୁଛି । ନୋଟିସ୍ ହେବା ଆଇନଗତ ପ୍ରକ୍ରିୟା । କିନ୍ତୁ ନବୀନ ବାବୁଙ୍କ ପାଟିକୁ ଚୁପ କରିବାକୁ ଏହା ଏକ ଷଡ଼ଯନ୍ତ୍ର । ନବୀନ ବାବୁ କୌଣସି ଦୁର୍ନୀତିରେ ସଂଶ୍ଳିଷ୍ଟ ନୁହଁନ୍ତି ।
ସେପଟେ ବରିଷ୍ଠ ବିଜେଡ଼ି ନେତା ଭୂପିନ୍ଦର ସିଂଙ୍କ ବୟାନ ଆଲୋଚନାକୁ ଭିନ୍ନ ମୋଡ଼ ଦେଇଛି । ସେ କହିଛନ୍ତି ଯେ ପାଣ୍ଡିଆନ ସେତେବେଳେ ସବୁ ବ୍ୟବସ୍ଥା ଭିତରେ ଥିଲେ । ତାଙ୍କୁ ସମନ କରାଯାଇଛି ମାନେ କିଛି ନିଶ୍ଚିତ ଥିବ । ପାଣ୍ଡିଆନ ହାଜିର ହେବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।
ତେବେ ବିଜେଡ଼ିର ଏଭଳି ଅଭିଯୋଗର ଜବାବ ରଖି ବିଧାୟକ ବାବୁ ସିଂ କହିଛନ୍ତି ଯେ ଯଦି ସେମାନେ ସ୍ୱଚ୍ଛ ଅଛନ୍ତି ଓ ଭୁଲ କରି ନାହାଁନ୍ତି ତାହା ହେଲେ ବିଜେଡ଼ି ଡରୁଛନ୍ତି କାହିଁକି । ପୂର୍ବତନ ମୁଖ୍ୟମନ୍ତ୍ରୀ କହୁଥିଲେ ଆଇନ ତା ବାଟରେ ଯିବ । ଯଦି ଆଇନ ତା ବାଟରେ ଯାଉଥିଲା ତାହା ହେଲେ ତଦନ୍ତ ଫାଇଲ କୁଆଡ଼େ ଗଲା । ସେହିପରି ପାଣ୍ଡିଆନ ନିଜେ କହିଛନ୍ତି ସେ ବିଜେଡ଼ିରୁ ସନ୍ନ୍ୟାସୀ ନେଇଛନ୍ତି ତାହା ହେଲେ ସନ୍ନ୍ୟାସୀ ନେଇଥିବା ନେତାଙ୍କ ପାଇଁ କାହିଁକି ବିଜେଡ଼ି ଜବାବ ଦେବାକୁ ବ୍ୟାକୁଳ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସିଏମଓରୁ ଫାଇଲ ହଜିବା ମାମଲାରେ ଏଯାବତ ୧୬ ଜଣଙ୍କୁ ଜେରା କରାଯାଇଥିବାବେଳେ ୬ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଗଲା କିଛି ଦିନ ମଧ୍ୟରେ କ୍ରମାଗତ ଭାବେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର , ରାଜେଶ ବର୍ମା, ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍ ଜାରି ହୋଇଛି ।