କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ଶନିବାର ଦଳୀୟ ବିଦ୍ରୋହୀ ଓ ନେତାଙ୍କୁ ଏକ ବଡ଼ ଏବଂ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି। ପଶ୍ଚିମବଙ୍ଗ ରାଜନୀତିରେ ଚାଲିଥିବା ହଲଚଲ ମଧ୍ୟରେ ଅଭିଷେକ କହିଛନ୍ତି ଯେ, ଯେଉଁ ନେତାମାନେ ତାଙ୍କୁ ଦାୟୀ କରି ଦଳ ଛାଡ଼ିଛନ୍ତି, ସେମାନେ ଯଦି ପୁଣିଥରେ 'ଦିଦି'ଙ୍କ ପାଖକୁ ଫେରିଆସିବେ, ତେବେ ସେ ମାତ୍ର ଏକ ଘଣ୍ଟା ମଧ୍ୟରେ ନିଜ ପଦବୀରୁ ଇସ୍ତଫା ଦେଇଦେବେ।
ବିଦ୍ରୋହୀଙ୍କୁ ଅଭିଷେକଙ୍କ ଖୋଲା ଚ୍ୟାଲେଞ୍ଜ
କାଳୀଘାଟସ୍ଥିତ ମମତା ବାନାର୍ଜୀଙ୍କ ବାସଭବନ ବାହାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଅଭିଷେକ ବାନାର୍ଜୀ ବିଦ୍ରୋହୀ ନେତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, "ଯେଉଁମାନେ ଦଳ ଛାଡ଼ିଛନ୍ତି ଏବଂ ଆଜି ମୋତେ ଗାଳିଗୁଲଜ କରୁଛନ୍ତି କିମ୍ବା ଦଳର ସ୍ଥିତି ପାଇଁ ଦାୟୀ କରୁଛନ୍ତି, ମୁଁ ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛି ଯେ ସେମାନେ ଦିଦିଙ୍କ ପାଖକୁ ଫେରିଆସନ୍ତୁ। ସେମାନେ ଫେରିଲେ ମୁଁ ୨୪ ଘଣ୍ଟା ନୁହେଁ, ବରଂ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଦଳରୁ ଇସ୍ତଫା ପତ୍ର ଦେଇଦେବି। ସେ ଆହୁରି ମଧ୍ୟ କହିଛନ୍ତି, ବିଦ୍ରୋହୀମାନେ କହୁଛନ୍ତି ଅଭିଷେକ ଦଳ ଛାଡ଼ିଲେ ସେମାନେ ଫେରିବେ। ମୁଁ କହୁଛି ଆପଣ ଅପରାହ୍ନ ୩ଟାରେ ଆସନ୍ତୁ, ମୁଁ ୪ଟା ସୁଦ୍ଧା ଇସ୍ତଫା ଦେଇଦେବି।
"ବିଜେପି ସହ ଡିଲ୍ କରିଛନ୍ତି ବିଦ୍ରୋହୀ"
ଅଭିଷେକ ଅଭିଯୋଗ କରିଛନ୍ତି ଯେ ବିଦ୍ରୋହୀ ନେତାମାନେ କେବେ ବି ଦଳକୁ ଫେରିବେ ନାହିଁ, କାରଣ ସେମାନେ ବିଜେପି ସହ ଏକ ଗୁପ୍ତ 'ଡିଲ୍' କରିଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯଥା- ଇଡି ଓ ସିବିଆଇରୁ ବଞ୍ଚିବା ପାଇଁ ଏବଂ ସୁରକ୍ଷା ପାଇବା ପାଇଁ ସେମାନେ ଦଳ ବଦଳାଇଛନ୍ତି ଏବଂ ଏବେ କେବଳ ତାଙ୍କ ନାଁରେ ଦୋଷ ଲଦୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଟିଏମସି ୨୯ଟି ସିଟ୍ ଜିତିଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ ଯଦି ପରାଜୟ ପାଇଁ ସେ ଦାୟୀ, ତେବେ ଏହି ବଡ଼ ବିଜୟର ଶ୍ରେୟ ମଧ୍ୟ ତାଙ୍କୁ ମିଳିବା ଉଚିତ।
ତଦନ୍ତ ସଂସ୍ଥାକୁ ଡରି ପଳାଇ ନାହିଁ: ଅଭିଷେକ
ନିଜ ଉପରେ ହେଉଥିବା ତଦନ୍ତ ପ୍ରସଙ୍ଗରେ ଅଭିଷେକ କହିଛନ୍ତି, "ମୋତେ ମଧ୍ୟ ଇଡି, ସିବିଆଇ ଏବଂ ରାଜ୍ୟ ପୋଲିସ ପକ୍ଷରୁ ପ୍ରାୟ ୧୦ ଥର ସମନ କରାଯାଇଛି। ମୋ ନାଁରେ ୨୦-୩୦ଟି ଏଫ୍ଆଇଆର୍ ଅଛି। କିନ୍ତୁ ମୁଁ କେବେ ଭୟରେ ପଳାଇ ନାହିଁ। ଯେଉଁମାନେ କେନ୍ଦ୍ରୀୟ ସଂସ୍ଥାର ନୋଟିସ ପାଇବା ମାତ୍ରେ ଦଳ ବଦଳାନ୍ତି, ସେମାନେ ଲଢ଼ିବାକୁ ଚାହାଁନ୍ତି ନାହିଁ, ସେମାନେ କେବଳ ଭୟଭୀତ।"