ଲକ୍ଷ୍ନୌ: ବୃଦ୍ଧାବସ୍ଥାରେ ପିତାମାତାଙ୍କୁ ଅବହେଳା କରୁଥିବା କିମ୍ବା ଖରାପ ବ୍ୟବହାର କରୁଥିବା ସନ୍ତାନମାନଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାର ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ବୈଠକରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଅଧିକାରକୁ ଅଧିକ ସୁଦୃଢ଼ କରିବା ପାଇଁ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ଏହି ନୂତନ ନିୟମ ଅନୁସାରେ, ପିତାମାତାଙ୍କ ସେବା ଓ ଭରଣପୋଷଣ ନକଲେ ସନ୍ତାନମାନଙ୍କୁ ସମ୍ପତ୍ତିରୁ ବେଦଖଲ କରାଯାଇପାରିବ।
ନିୟମାବଳୀ-୨୦୧୪ରେ ସଂଶୋଧନ
ଉତ୍ତର ପ୍ରଦେଶ କ୍ୟାବିନେଟ୍ ବୈଠକ ପରେ ରାଜ୍ୟ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, 'ଉତ୍ତର ପ୍ରଦେଶ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ନିୟମାବଳୀ-୨୦୧୪'ର ନିୟମ ୨୨ରେ ନୂଆ ଉପ-ନିୟମ (୨୨-କ, ୨୨-ଖ ଏବଂ ୨୨-ଗ) ଯୋଡ଼ାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯଦି କୌଣସି ସନ୍ତାନ କିମ୍ବା ଆଶ୍ରିତ ସମ୍ପର୍କୀୟ ବୃଦ୍ଧ ପିତାମାତାଙ୍କ ଦେଖାଶୁଣା କରୁନାହାନ୍ତି କିମ୍ବା ଦୁର୍ବ୍ୟବହାର କରୁଛନ୍ତି, ତେବେ ପୀଡ଼ିତ ବରିଷ୍ଠ ନାଗରିକ ନିଜ ସମ୍ପତ୍ତିରୁ ସେମାନଙ୍କୁ ବାହାର କରିପାରିବେ।
୩୦ ଦିନ ମଧ୍ୟରେ ହେବ ସୁଣାଣି
ବେଦଖଲ ପ୍ରକ୍ରିୟାକୁ ଅଧିକ ସହଜ ଓ ସମୟବଦ୍ଧ କରାଯାଇଛି। ନୂତନ ପ୍ରାବଧାନ ଅନୁଯାୟୀ, ପୀଡ଼ିତ ବୃଦ୍ଧ ପିତାମାତା ଜିଲ୍ଲା ମାଜିଷ୍ଟ୍ରେଟ୍ (DM)ଙ୍କ ନିକଟରେ ସିଧାସଳଖ ଅଭିଯୋଗ କରିପାରିବେ। ଏହି ସମସ୍ତ ଅଭିଯୋଗର ଶୁଣାଣି ମାତ୍ର ୩୦ ଦିନ ମଧ୍ୟରେ ଶେଷ କରାଯିବ। ଏଥିସହିତ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରତ୍ୟେକ ମାସରେ ଏହିପରି ମାମଲାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି।
ସୁବିଧା ପାଇଁ ଜାରି ହେବ ଟୋଲ୍-ଫ୍ରି ନମ୍ବର
ଯେଉଁ ବରିଷ୍ଠ ନାଗରିକମାନେ ନିଜେ ଯାଇ ଅଭିଯୋଗ କରିବାକୁ ଅସମର୍ଥ, ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଶୀଘ୍ର ଏକ ଟୋଲ୍-ଫ୍ରି ନମ୍ବର ଜାରି କରିବେ। ଏହି ନମ୍ବରରେ କଲ୍ କରି ବୃଦ୍ଧ ପିତାମାତା ନିଜ ସମସ୍ୟା ଜଣାଇପାରିବେ ଏବଂ ତୁରନ୍ତ ସରକାରୀ ସହାୟତା ପାଇପାରିବେ। ବରିଷ୍ଠ ନାଗରିକଙ୍କୁ ସମ୍ମାନଜନକ ଜୀବନ ବଞ୍ଚିବାର ଅଧିକାର ଦେବା ଏବଂ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ରୋକିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ।