ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ଦ୍ୱାର ଖୋଲିବାକୁ ଯାଉଛି। ରାଜ୍ୟର ପ୍ରାୟ ୧ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ବେରୋଜଗାରୀ ସମସ୍ୟାକୁ ଦୂର କରିବା ଏବଂ ମେଧାବୀ ଯୁବକ ଯୁବତୀମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ କାମ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି।
ପ୍ରତି ସପ୍ତାହରେ ବଣ୍ଟାଯିବ ନିଯୁକ୍ତି ପତ୍ର
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରାଯିବ। ଏହି କ୍ରମରେ ଆଗାମୀ ନିର୍ବାଚନ ପୂର୍ବରୁ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। କେବଳ ସେତିକି ନୁହେଁ, ପ୍ରତି ସପ୍ତାହରେ ନିୟମିତ ଭାବେ ନିଯୁକ୍ତି ପତ୍ର ବଣ୍ଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ମେଧା ଭିତିରେ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟର ଯୁବକମାନେ ଯେପରି ସହଜରେ ସଠିକ୍ ସୂଚନା ପାଇପାରିବେ, ସେନେଇ ସରକାରୀ ପୋର୍ଟାଲରେ ନିୟମିତ ଅପଡେଟ୍ ଜାରି କରାଯାଉଛି। ଆଗାମୀ ଦିନରେ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
Also Read: ଜେଲରୁ ମୁକୁଳିଲେ ରାମ ରହିମ, ବିଜେପି ଉପରେ ବର୍ଷିଲା କଂଗ୍ରେସ