ନୂଆଦିଲ୍ଲୀ: ଫ୍ରାନ୍ସରେ ମୌସୁମୀର କରାଳ ରୂପ ଦେଖିବାକୁ ମିଳିଛି । ଘନ ଘନ ବଜ୍ରପାତରେ ଥରି ଉଠିଛି ଫ୍ରାନ୍ସ । ବଜ୍ରପାତରେ ଫ୍ରାନ୍ସ ଏକ ବିରଳ ରେକର୍ଡ ସ୍ଥାପନ କରିଥିବାବେଳେ ପାଣିପାଗ ବିଶେଷଜ୍ଞ ବଡ଼ ଜଳବାୟୁ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୧ ଲକ୍ଷ ୭୯ ହଜାର ଥର ବଜ୍ରପାତ ରେକର୍ଡ କରାଯାଇଛି । ଯାହା ଏକ ବଡ଼ ବିପଦ ସଙ୍କେତ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଏତେ ମାତ୍ରାରେ ବଜ୍ରପାତକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ପାଣିପାଗ ବିଭାଗ ଅନୁସାରେ ଉଷ୍ମ ଏବଂ ଆର୍ଦ୍ର ବାୟୁ ଗୋଟିଏ ସ୍ଥାନରେ ଫସି ରହିବା ପରେ ଏହି ବାୟୁ ଉପରକୁ ହଠାତ ଉପରକୁ ଉଠିବାରୁ ଅତ୍ୟଧିକ ବଜ୍ରପାତ ହୋଇଛି ।
‘ସୁପରସେଲ୍ କ୍ଲାଉଡ୍’ର ପ୍ରଭାବ
ଏହାକୁ ବୈଜ୍ଞାନିକ ଭାଷାରେ ବିଶାଳ ‘ସୁପରସେଲ୍ କ୍ଲାଉଡ୍’ ବା ସୁପରସେଲ୍ ମେଘ କୁହାଯାଏ । ସୁପରସେଲ୍ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଝଡ଼ । ଯାହା ଦୀର୍ଘ ସମୟ ପାଇଁ ସକ୍ରିୟ ରହି ନିରନ୍ତର ନୂତନ ଝଡ଼ ସୃଷ୍ଟି କରିପାରିବ । ଏହି ମେଘ ଅନେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ମଧ୍ୟ ସୃଷ୍ଟି କରିଥାଏ । ଘୂର୍ଣ୍ଣିଝଡ଼ ସହିତ ପ୍ରବଳ ପବନ ବହିଥାଏ ଯାହା ଗଛ ଉପୁଡ଼ି କୋଠାଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ । ଖାଲି ସେତିକି ନୁହେଁ ବଡ଼ ବଡ଼ ଖଣ୍ଡ କୂଆପଥର ବର୍ଷା ମଧ୍ୟ ହୋଇଥାଏ । ବୈଜ୍ଞାନିକ ବିଶେଷଜ୍ଞମାନେ ଏହାକୁ ବଡ଼ ସଙ୍କଟର ବୋଲି ବର୍ଣ୍ଣନା କରିଛନ୍ତି ।
ଫ୍ରାନ୍ସର ବିଭିନ୍ନ ସ୍ଥାନରେ ବର୍ଷା ସହିତ କୂଆପଥର ମାଡ଼ ମଧ୍ୟ ହୋଇଛି । ଯାହା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିପାରେ । ଏହା ଖାଲି ଫ୍ରାନ୍ସରେ ନୁହେଁ ସମ୍ପୂର୍ଣ୍ଣ ୟୁରୋପ ପାଇଁ ବିପଦ ଆଣିପାରେ । ପଡ଼ୋଶୀ ଦେଶମାନଙ୍କରେ ମଧ୍ୟ ପାଣିପାଗ ବିଭାଗ ସତର୍କତା ଜାରି କରିଛନ୍ତି ।
ଫ୍ରାନ୍ସ ପାଣିପାଗ ବିଭାଗ ସମସ୍ତଙ୍କୁ ସତର୍କ କରାଇଛି । ଖୋଲା ସ୍ଥାନରେ ବୁଲାବୁଲି ନ କରିବାକୁ ବାରଣ କରାଯାଇଛି । ବାୟୁମଣ୍ଡଳୀୟ ଅସ୍ଥିରତା ବର୍ତ୍ତମାନ ଶୀର୍ଷରେ ଥିବାରୁ ଆଗାମୀ କିଛି ଘଣ୍ଟା ମଧ୍ୟରେ ଝଡ଼ ହେବାର ସମ୍ଭାବନା ରହିଛି । ସୁପରସେଲ୍ ସିଷ୍ଟମଗୁଡ଼ିକ ପ୍ରାୟତଃ କ୍ରମାଗତ ଭାବେ ସକ୍ରିୟ ଥାଆନ୍ତି । ଯାହାଦ୍ୱାରା ପ୍ରବଳ ବର୍ଷା ହେବାର ସମ୍ଭାବନା ଥାଏ ।