ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ‘ତେହେଲକା’ର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନ୍ତିମ ଚେତାବନୀ ଦେଇଛନ୍ତି । ତେଜପାଲଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ଆଦେଶ ଜାରି କରିଛନ୍ତି ।
୬ ଅଗଷ୍ଟରେ ବମ୍ବେ ଉଚ୍ଚ ଅଦାଲତଙ୍କ ଗୋଆ ବେଞ୍ଚ ସହକର୍ମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ହାଇକୋର୍ଟ ବେଞ୍ଚ ୨୦୨୧ରେ ତାଙ୍କୁ ମୁକ୍ତ କରାଯାଇଥିବା ରାୟକୁ ଖାରଜ କରିଥିଲେ । ତେଜପାଲଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ପରେ ତେଜପାଲ ନିଜକୁ ପୀଡ଼ିତ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅପରପକ୍ଷେ ଗୋଆ ସରକାର ମଧ୍ୟ ତେଜପାଲଙ୍କ ଦଣ୍ଡ ବିଧାନ ଅବଧିକୁ ଆହୁରି ଅଧିକ ସମୟ ବର୍ଦ୍ଧିତ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ୍ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ୨୦୧୩ ମସିହାରେ ଜଣେ କନିଷ୍ଠ ମହିଳା ପତ୍ରକାର ସହକର୍ମୀ, ତରୁଣ ତେଜପାଲଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ୨୦୧୩ ମସିହା ନଭେମ୍ବର ୭ ଏବଂ ୮ ତାରିଖରେ ଏକ ସରକାରୀ କାର୍ୟ୍ୟକ୍ରମରେ ତେଜପାଲ ତାଙ୍କୁ ଏକ ପଞ୍ଚତାରକା ହୋଟେଲ୍ ଲିପ୍ଟ ଭିତରେ ଦୁଷ୍କର୍ମ କରିଥିଲେ । ନଭେମ୍ବର ୩୦, ୨୦୧୩ରେ ତେଜପାଲଙ୍କୁ ଗିରଫ କରାଯାଇଥିଲା ।
୨୯ ସେପ୍ଟେମ୍ବର ୨୦୧୭ରେ ତାଙ୍କ ଉପରେ ସେତେବେଳର ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ବିଭିନ୍ନ ଧାରା ଅନୁଯାୟୀ ତାଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ସେ ଯୁକ୍ତି ରଖିଥିଲେ । ସେ ନିଜକୁ ନିର୍ଦୋଷ ବୋଲି ଦର୍ଶାଇଥିଲେ । ମେ ୨୦୨୧ରେ, ସରକାରୀ ପକ୍ଷ ମାମଲାକୁ ପ୍ରମାଣ କରିବାରେ ବିଫଳ ହୋଇଥିବା ଦର୍ଶାଇ ଗୋଆ ସେସନ୍ସ କୋର୍ଟ ତେଜପାଲଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ । ପରବର୍ତ୍ତୀ ସମୟରେ, ଗୋଆ ସରକାର ବମ୍ବେ ହାଇକୋର୍ଟରେ ନିମ୍ନ ଅଦାଲତ ରାୟକୁ ଚ୍ୟାଲେଞ୍ଜ କରିଥିଲେ ।
ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ନ୍ୟାୟମୂର୍ତ୍ତି ଡାକ୍ତର ନୀଳା ଗୋଖଲେ ଏବଂ ନ୍ୟାୟମୂର୍ତ୍ତି ଅମିତ ଜାମସେନ୍ଦକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଥିଲେ । ହାଇକୋର୍ଟ ଆଇପିସିର ଧାରା ୩୭୬(୨)(ଏଫ୍), ୩୭୬(୨)(କେ), ୩୫୪ଏ ଏବଂ ୩୫୪ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ ।