ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମ ସିଂହ ପୁଣିଥରେ ଜେଲ୍ରୁ ବାହାରକୁ ଆସିବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଏହାକୁ ନେଇ କଂଗ୍ରେସ ଶାସକ ଦଳ ବିଜେପି ଉପରେ ଜୋରଦାର ବର୍ଷିଛି। କଂଗ୍ରେସ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପୱନ ଖେଡ଼ା କହିଛନ୍ତି ଯେ, ବିଜେପି ମହିଳା ସଂରକ୍ଷଣ ଓ ସଶକ୍ତିକରଣକୁ ନେଇ ଯେତେ କୁମ୍ଭୀର କାନ୍ଦଣା କାନ୍ଦିଲେ ମଧ୍ୟ ଏହା ଏକ ଶସ୍ତା ଟିଭି ସିରିଏଲ୍ ଡ୍ରାମାଠାରୁ ଅଧିକ କିଛି ନୁହେଁ।
ପବନ ଖେଡ଼ା ଆହୁରି ମଧ୍ୟ କହିଛନ୍ତି, "ଆମେ ଭଲଭାବେ ଜାଣିଛୁ ଯେ ଏହି ଦଳଟି ଦୁଷ୍କର୍ମକାରୀଙ୍କୁ ସାଥ୍ ଦେଉଛି ଏବଂ ମହିଳା ବିରୋଧୀ। ୨୦ ବର୍ଷର ଜେଲ୍ ଦଣ୍ଡ ଭୋଗୁଥିବା ଦୋଷୀ ରାମ ରହିମକୁ ଏପର୍ଯ୍ୟନ୍ତ ୧୭ ଥର ପାରୋଲ ମିଳିସାରିଲାଣି। ୨୦୧୭ ମସିହାରେ ଗିରଫ ହେବା ପରଠାରୁ ସେ ଏଯାବତ୍ ୪୫୦ ଦିନରୁ ଅଧିକ ସମୟ ଜେଲ୍ ବାହାରେ ବିତାଇଛନ୍ତି। ଯଦି ଆପଣ ନିଜ ଝିଅମାନଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ଦେଶକୁ ବିଜେପିରୁ ମୁକ୍ତ କରନ୍ତୁ।
ଜେଲ୍ ବାହାରକୁ ଆସିବାର ରେକର୍ଡ
୨୦୧୭ ଅଗଷ୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ରାମ ରହିମ ଏପର୍ଯ୍ୟନ୍ତ ୧୭ ଥର ପାଇଁ ଜେଲ୍ରୁ ବାହାରକୁ ଆସିଛନ୍ତି। କେବଳ ଚଳିତ ବର୍ଷରେ ସେ ତୃତୀୟ ଥର ପାଇଁ ଜେଲ୍ ବାହାରକୁ ଆସିଛନ୍ତି। ବର୍ତ୍ତମାନ ସେ ୨୧ ଦିନିଆ ପାରୋଲରେ ରୋହତକର ସୁନାରିଆ ଜେଲ୍ରୁ ବାହାରି ନିଜର ସିରସାସ୍ଥିତ ଡେରା ମୁଖ୍ୟାଳୟକୁ ଯାଇଛନ୍ତି।
ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ
ଚଳିତ ବର୍ଷ ମାର୍ଚ୍ଚ ମାସରେ ପଞ୍ଜାବ-ହରିୟାଣା ହାଇକୋର୍ଟ ୨୦୦୨ ମସିହାର ଜଣେ ସାମ୍ବାଦିକ ହତ୍ୟା ମାମଲାରୁ ରାମ ରହିମକୁ ଦୋଷମୁକ୍ତ କରିଥିଲେ। ଏହାପୂର୍ବରୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାକୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ଏହି ଘଟଣାରେ ପୀଡ଼ିତ ପରିବାର ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଗତ ଅଗଷ୍ଟ ୧୦ ତାରିଖରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କ ଆଚରଣକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟ ବିରୋଧରେ କୌଣସି ଆବେଦନ କରିବେ ନାହିଁ ବୋଲି ସୂଚନା ମିଳିବା ପରେ ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ କହିଥିଲେ ଯେ, "ଆମେ ଜାଣୁ ଯେ ରାଜ୍ୟ ସରକାର ହୁଏତ ଆବେଦନ କରିବାକୁ ଆସିବେ ନାହିଁ।"