କେନ୍ଦ୍ରାପଡ଼ା: ରକ୍ଷାବନ୍ଧନ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପହଞ୍ଚିଛି ପବିତ୍ର ପାଟରାକ୍ଷୀ। ସାନଭଉଣୀ ମା' ସୁଭଦ୍ରା ବଡ଼ଭାଇ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ପଠାଇବାର ଏହି ଶତାବ୍ଦୀ ପୁରୁଣା ପରମ୍ପରା ପୁଣିଥରେ ଭକ୍ତିମୟ ପରିବେଶରେ ପାଳନ କରାଯାଇଛି।
ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଆଶୀର୍ବାଦ ଓ ଅନୁମତି ପରେ, ମା' ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପୁରୀରୁ ସୁସଜ୍ଜିତ ରଥରେ ପାଟରାକ୍ଷୀ ନେଇ ତୁଳସୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ ଭକ୍ତମାନେ ଫୁଲବର୍ଷା ଓ ସଂକୀର୍ତ୍ତନ ମାଧ୍ୟମରେ ପାଟରାକ୍ଷୀକୁ ସ୍ୱାଗତ ଜଣାଇଥିଲେ।
ମଧ୍ୟାହ୍ନରେ ଶ୍ରୀବଳଦେବଜୀଉ ମନ୍ଦିରରେ ପହଞ୍ଚିବା ପରେ ଘଣ୍ଟ, ଘଣ୍ଟା ଓ ହରିନାମ ସଂକୀର୍ତ୍ତନ ମଧ୍ୟରେ ଏକ ଭବ୍ୟ ଶୋଭାଯାତ୍ରାରେ ପାଟରାକ୍ଷୀକୁ ମନ୍ଦିର ପରିସରକୁ ନିଆଯାଇଥିଲା। ପରେ ବିଧିବିଧାନ ଅନୁଯାୟୀ ଦୁଇଟି ପାଟରାକ୍ଷୀକୁ ମନ୍ଦିର ଭଣ୍ଡାର ଗୃହରେ ସୁରକ୍ଷିତ ଭାବେ ସଂରକ୍ଷଣ କରାଯାଇଛି।
ଆସନ୍ତା ୨୭ ଅଗଷ୍ଟ ରକ୍ଷାବନ୍ଧନ ଦିନ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ଅବସରରେ ଏହି ପାଟରାକ୍ଷୀ ତାଙ୍କ ହସ୍ତରେ ପରିଧାନ କରାଯିବ। ପରମ୍ପରା ଅନୁସାରେ ସାନଭାଇ ଶ୍ରୀଜଗନ୍ନାଥ ମଧ୍ୟ ଏହି ପବିତ୍ର ପାଟରାକ୍ଷୀ ଧାରଣ କରିବେ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି।
ଏହି ଅବସରରେ ଟ୍ରଷ୍ଟ ବୋର୍ଡ ସଭାପତି, ମନ୍ଦିର ନିର୍ବାହୀ ଅଧିକାରୀ, ପାଟ ସେବା ସଂଘର ସଦସ୍ୟ ଏବଂ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ଦୁର୍ଲଭ ପରମ୍ପରାର ସାକ୍ଷୀ ହୋଇଥିଲେ।।