ଭୁବନେଶ୍ୱର: ମହାକାଶ ଗବେଷଣା ଏବଂ ଆଧୁନିକ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଏକ ନୂଆ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛି। ରାଜ୍ୟରେ ଖୁବ୍ଶୀଘ୍ର ଏକ ‘ସାଟେଲାଇଟ୍ ଲଞ୍ଚ ପ୍ୟାଡ୍ ଷ୍ଟେସନ୍’ ସ୍ଥାପନ ନେଇ ଆଶା ସଞ୍ଚାର ହୋଇଛି। ଜାତୀୟ ମହାକାଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ORSAC) ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
କେନ୍ଦ୍ର ସରକାରଙ୍କ ସହ ସହମତି
ମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହ ସ୍ୱତନ୍ତ୍ର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କେନ୍ଦ୍ର ସରକାର ଏବଂ ଇସ୍ରୋ (ISRO) ପକ୍ଷରୁ ଏହି ଦିଗରେ ସକାରାତ୍ମକ ପ୍ରତିକ୍ରିୟା ମିଳିଛି।
ଉତକ୍ଷେପଣ କେନ୍ଦ୍ର ପାଇଁ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇ ଦେବେ। ଖୁବ୍ଶୀଘ୍ର ଏହି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ପାଇଁ ପଠାଯିବ, ଏବଂ କ୍ୟାବିନେଟ୍ ମୋହର ବାଜିବା ପରେ ଏହା କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯିବ। ଏହା ସହିତ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ଡ୍ରୋନ୍ ଉତ୍ପାଦନ ପାଇଁ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ଭୁବନେଶ୍ୱରରେ ଗଢ଼ିଉଠିବ ‘ବିଜ୍ଞାନ ଭବନ’
ରାଜ୍ୟରେ ବୈଜ୍ଞାନିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ‘ବିଜ୍ଞାନ ଭବନ’ ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି। ଏହାସହ ଚନ୍ଦ୍ରଶେଖରପୁରସ୍ଥିତ ‘ଓରସାକ୍’ (ORSAC) ଏବଂ ‘ପଠାଣି ସାମନ୍ତ ପ୍ଲାନେଟୋରିୟମ୍’ର ସମ୍ପୂର୍ଣ୍ଣ ନବକଳେବର କରାଯାଇ ଏଗୁଡ଼ିକୁ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ରରେ ପରିଣତ କରାଯିବ।
ପ୍ରଯୁକ୍ତିବିଦ୍ୟାକୁ ସରକାରୀ ଯୋଜନାରେ ବ୍ୟବହାର କରି ଓଡ଼ିଶା ସରକାର ବିଶାଳ ସଫଳତା ହାସଲ କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମହାକାଶ ବିଜ୍ଞାନ ଓ ସାଟେଲାଇଟ୍ ସର୍ଭେ ର ଉପଯୋଗ କରି ରାଜ୍ୟ କୋଷାଗାରରୁ ପ୍ରାୟ ୭,୦୦୦ କୋଟି ଟଙ୍କା ହଡ଼ପ ହେବାରୁ ରକ୍ଷା କରାଯାଇପାରିଛି।