ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେନୁଖଣ୍ଡା ଗ୍ରାମରେ ସୋମବାର ଘଟିଛି ହୃଦୟବିଦାରକ ଅଘଟଣ। ବିଲରେ ଚାଷ କାମ ସାରି ଟ୍ରାକ୍ଟରରେ ଫେରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ସାଗର ଭୋଇ ଓ ଅଜୟ କୁମାର ସାହୁ।
ସୂଚନା ଅନୁଯାୟୀ, ଉଭୟେ ବିଲରେ ଟ୍ରାକ୍ଟର ସାହାଯ୍ୟରେ ହଳ କାମ କରି ଘରକୁ ଫେରୁଥିଲେ। ସେହି ସମୟରେ ଟ୍ରାକ୍ଟରର ରୋଟର ମାଟି ତଳେ ଥିବା ଲିଫ୍ଟ ଇରିଗେଶନ ପମ୍ପର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଉଭୟ ଯୁବକ ଘଟଣାସ୍ଥଳରେ ଗୁରୁତର ବିଦ୍ୟୁତ୍ ଆଘାତ ପାଇ ତଳେ ପଡ଼ିଯାଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କାଟି ସେମାନଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।
ବିଦ୍ୟୁତ୍ ବିଭାଗ ବିରୋଧରେ ଅଭିଯୋଗ
ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ମାଟି ତଳେ ବିଦ୍ୟୁତ୍ ତାର ବେଆଇନ ଭାବେ ବିଛାଯାଇଥିଲା, ଯାହା ଏହି ଦୁର୍ଘଟଣାର କାରଣ। ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ, ଘଟଣାର ନିରପେକ୍ଷ ତଦନ୍ତ ଓ ଦାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ।