ଲଘୁଚାପଜନିତ ଲଗାଣ ବର୍ଷା ପରେ ଓଡ଼ିଶାର ଏକାଧିକ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି।
ବର୍ଷା ପ୍ରଭାବରେ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିଛି। ସେଥିମଧ୍ୟରୁ ବୈତରଣୀ ସବୁଠାରୁ ଅଧିକ ପ୍ରଭାବ ପକାଇଥିବା ବେଳେ ଯାଜପୁରର ବରୀ, ବିଞ୍ଝାରପୁର ଓ କେନ୍ଦ୍ରାପଡ଼ାର ଆଳି ଅଞ୍ଚଳ ଜଳବନ୍ଦୀ ସ୍ଥିତିରେ ରହିଛି।
ଜଳସମ୍ପଦ ବିଭାଗ କହିଛି, ବ୍ରାହ୍ମଣୀ ନଦୀ ସତର୍କ ସଂକେତ ସ୍ତରରେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ଏପର୍ଯ୍ୟନ୍ତ ସତର୍କ ସଂକେତ ତଳେ ରହିଛି। ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨–୩ ଦିନ ବର୍ଷା କମିଲେ ତଳମୁଣ୍ଡ ଅଞ୍ଚଳରୁ ପାଣି ଧୀରେ ଧୀରେ ଖସିଯିବ। ସେପଟେ ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍ ଖୋଲା ରହିଛି ଓ ଜଳସ୍ତର ୬୨୩ ଫୁଟ୍ ରହିଛି। ତେବେ ବର୍ତ୍ତମାନ ମହାନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।