ନୂଆଦିଲ୍ଲୀ: ଫୁଟପାଥ ବା ପାଦଚଲା ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । ସାଧାରଣ ପଦଯାତ୍ରୀଙ୍କ ପାଇଁ ମୁକ୍ତ ପାଦଚଲା ରାସ୍ତା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ । ତେଣୁ କେବେ ସୁଦ୍ଧା ପଥଚାରୀଙ୍କ ପାଇଁ ମୁକ୍ତ ପାଦଚଲା ରାସ୍ତା ସୁନିଶ୍ଚିତ କରାଯିବ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ସରକାରଙ୍କୁ ତାହାର ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ ନ୍ୟାୟମୂର୍ତ୍ତି ପିଏସ୍ ନରସିଂହ ଏବଂ ବିଚାରପତି ଆଲୋକ ଆରାଧେଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ରାସ୍ତା ପଡ଼ରେ ଥିବା ପାଦଚଲା ରାସ୍ତାର ନିର୍ମାଣ ସମ୍ପର୍କରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଜବାବ ଲୋଡିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ସରକାରଙ୍କ ପ୍ରଥମ ପଦକ୍ଷେପ ହେଉଛି ପଥଚାରୀଙ୍କ ପାଇଁ ଉପଯୁକ୍ତ ଭାବରେ ମୁକ୍ତ ସ୍ଥାନ ନିରୂପଣ କରିବା। ଲୋକମାନେ ଚାଲିବା ସମୟରେ ସେମାନଙ୍କର ସୁରକ୍ଷା ପ୍ରତି ଆଶ୍ୱସ୍ତ ଅନୁଭବ କରିବା ଉଚିତ । ସେମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚାଲିବା ଉଚିତ।
କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ ଖଣ୍ଡପୀଠଙ୍କୁ ସୂଚିତ କରିଥିଲେ ଯେ ରାସ୍ତାଗୁଡ଼ିକ ଏକ ରାଜ୍ୟ ସରକାରଙ୍କ ଅଧିନରେ ଆସୁଛି । ତେଣୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣକୁ ପଥଚାରୀଙ୍କ ପାଇଁ ଉପଯୁକ୍ତ ଭାବରେ ନିର୍ଦ୍ଦିଷ୍ଟ ସ୍ଥାନ ସୃଷ୍ଟି କରିବାକୁ ପରାମର୍ଶ ଜାରି କରିଛନ୍ତି । ସମ୍ପୃକ୍ତ ରାଜ୍ୟ ଗୁଡ଼ିକ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ପରାମର୍ଶର ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୯ ଜୁନରେ ନ୍ୟାୟାଧୀଶ ପିଏସ୍ ନରସିଂହା ଏବଂ ଏଏସ୍ ଚନ୍ଦୁର୍କରଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ପାଦଚଲା ରାସ୍ତା ବା ଫୁଟପାଥରେ ଚାଲିବା ଏକ ମୌଳିକ ଅଧିକାର । ସମ୍ବିଧାନର ଧାରା ୧୯(୧)(ଘ) ଭାରତର ସମଗ୍ର ଅଞ୍ଚଳରେ ଗତି କରିବାର ସ୍ୱାଧୀନତା ସୁନିଶ୍ଚିତ କରେ । ଯଦି ଏକ ରାସ୍ତା ଅଛି, ତେବେ ପଦଯାତ୍ରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଏକ ପାଦଚଲା ରାସ୍ତା ଥାଏ ଏବଂ ରକ୍ଷଣାବେକ୍ଷଣ କରିବା ନିଶ୍ଚିତ କରିବାର ଏକ ବାଧ୍ୟତା ମଧ୍ୟ ରହିବା ଆବଶ୍ୟକ । ଏହି ନିୟମକୁ ଲାଗୁ କରାଯିବାର ଆବଶ୍ୟକତା ରହିଛି ।