ନୂଆଦିଲ୍ଲୀ: ଦିଲ୍ଲୀ ସାଇବର୍ ପୋଲିସ ଏକ ନକଲି ବିମାନକମ୍ପାନୀ ଚାକିରୀ ରାକେଟର ପର୍ଦ୍ଦାଫାସ କରିଛି । ଲୋକଙ୍କୁ ବିମାନ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ଠକୁଥିବା ଏକ ଦଳକୁ ପୋଲିସ ଗିରଫ କରିଛି । ଦୁଇ ମାଷ୍ଟର ମାଇଣ୍ଡ ସହିତ ୬ ଜଣଙ୍କୁ ଗିରଫ କରାଯାଇଛି । ମାଷ୍ଟରମାଇଣ୍ଡ ସନ୍ଦୀପ କୁମାର (୨୩) ଓ ଅଖିଲ କୁମାର (୨୭), ୱେବ୍ ସାଇଟ୍ ନିର୍ମାତା ରାକେଶ କୁମାର (୪୭), ତିନି ମହିଳା ଟେଲି କଲର୍ ଶ୍ୱେତା, ସ୍ୱପ୍ନା ଏବଂ ସାକ୍ଷୀ (୨୦) ଅଛନ୍ତି ।
ଗତ ୧୪ ଜୁଲାଇ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ସାମାଜିକ ଗଣମାଧ୍ୟମରେ ଏୟାରଲାଇନ୍ସ ଚାକିରୀ ନେଇ ଏକ ବିଜ୍ଞାପନ ଦେଖିଥିଲେ । “ବ୍ରେଟିଶ୍ ଏୟାରୱେଜ୍” (ଈକ୍ସରଗ୍ଧସଗ୍ଦଷ ଇସକ୍ସଙ୍ଗବଚ୍ଚଗ୍ଦ) ନାମକ ଏକ କମ୍ପାନୀରେ ସୁନିଶ୍ଚିତ ଚାକିରୀ ମିଳିବା ନେଇ ପ୍ରତିଶ୍ରୁତି ଥିଲା । ଏହା ପରେ ସେ ସମ୍ପୃକ୍ତ କମ୍ପାନୀକୁ ଯୋଗାଯୋଗ କରିବାରୁ କରିଶ୍ମା ନାମରେ ଜଣେ ମହିଳା ଏଚ୍ଆର୍ ଏକ୍ସିକ୍ୟୁଟିଭ୍ ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ତାଙ୍କୁ ଏୟାରଲାଇନ୍ସରେ ଡିପ୍ଲୋମା କରାଇ ଦେବା ସହିତ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଚାକିରୀ ଭର୍ତ୍ତି ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ସେ ଫ୍ୟୁଚର୍ ୱିଙ୍ଗ୍ସ ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟରେ ସୁନିଶ୍ଚିତ ଚାକିରୀ ଦେବା ନେଇ ସମସ୍ତ କାଗଜପତ୍ର ମାଗିଥିଲେ ।
ବ୍ୟକ୍ତି ଜଣକ ୟୁପିଆଇ ପେମେଣ୍ଟ ମାଧ୍ୟମରେ ୭୦୦୦ ଟଙ୍କା ଦାଖଲ କରିଥିଲେ । ତାଙ୍କୁ କିଛି ବିଲ୍, ଏନଓସି ସ୍ଲିପ୍ ଏବଂ ଜବ୍ ଅଫର୍ ଲେଟର୍ ମଧ୍ୟ ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏସବୁ କିଛି ନକଲି ଥିବା ସେ ଜାଣିବାକୁ ପାଇଥିଲେ । ଏପରିକି ବ୍ରେଟିଶ୍ ଏୟାରୱେଜ୍ ନାମରେ ମଧ୍ୟ କୌଣସି ବିମାନ କମ୍ପାନୀ ନ ଥିବା ସେ ଜାଣିଥିଲେ ।
ପରେ ସେ ସମ୍ପୃକ୍ତ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ଚାହିଁବାକୁ କୌଣସି ଉତ୍ତର ମିଳିନଥିଲା । ବ୍ୟକ୍ତି ଜଣକ ନିରାଶ ହୋଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ୧୪ ଜୁଲାଇରେ ସେ ଅଭିଯୋଗ ଦାଖଲ କରିଥିଲେ । ସାଇବର୍ ପୋଲିସ ଯାଞ୍ଚ କରି ଶେଷରେ ୧୮ ଅଗଷ୍ଟରେ ମାଷ୍ଟରମାଇଣ୍ଡ ସନ୍ଦୀପ କୁମାର ଏବଂ ଅଖିଲ କୁମାରଙ୍କୁ ଗିରଫ କରାଯାଇଥିଲା ।
ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ସନ୍ଦୀପ ପୂର୍ବରୁ ଏକ ବେସାମରିକ ବିମାନ କମ୍ପାନୀରେ ଟେଲି କଲର୍ ଭାବେ କାମ କରୁଥିଲା । ଏହା ପରେ ଅଖିଲ ସହିତ ମିଶି ନୋଏଡ଼ାରେ ନିଜର ଏକ ଫ୍ରଡ୍ କମ୍ପାନୀ ଖୋଲି ଥିଲା ।
ସେମାନଙ୍କ ନିକଟରୁ ୨ଟି ଲାପଟପ୍, ୮ଟି ଫୋନ୍, ସିମ୍ କାର୍ଡ ଏବଂ ରେଜିଷ୍ଟର୍ ଜବତ କରାଯାଇଛି । ଏଥିରେ ସେମାନେ ୧୦ ଜଣଙ୍କୁ ଏପରି ଠକି ଥିବା ସ୍ପଷ୍ଟ ହୋଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି ।