ତାମିଲନାଡୁ ସରକାରଙ୍କ ତରଫରୁ କ୍ରମାଗତ ଭାବେ ମାଗଣା ଯୋଜନା ଘୋଷଣା କରାଯାଉଛି। ମାଗଣା ଯୋଜନା ଶୃଙ୍ଖଳାରେ ଆଉ କିଛି ନୂଆ ଯୋଜନାକୁ ମଧ୍ୟ ସାମିଲ କରାଯାଇଛି। ରାଜ୍ୟର ଆର୍ଥିକ ଅନାଟନ ଦେଇ ଗତି କରୁଥିବା ପରିବାରଗୁଡ଼ିକୁ ପ୍ରତିବର୍ଷ ୩ଟି ମାଗଣା LPG ସିଲିଣ୍ଡର ଦିଆଯିବ। ଟ୍ରାନ୍ସଜେଣ୍ଡର ବର୍ଗଙ୍କ ପାଇଁ ମାଗଣା ଯାତ୍ରା ଯୋଜନା ଘୋଷଣା କରାଯାଇଛି, ଏହାସହିତ ମହିଳାମାନଙ୍କ ପାଇଁ ବସ୍ରେ ମାଗଣା ଯାତ୍ରାର ପରିସର ବୃଦ୍ଧି କରାଯାଇ ଏକ୍ସପ୍ରେସ୍ ଏବଂ ଡିଲକ୍ସ ସେବା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।
ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ଆଜି ସୋମବାର ବିଧାନସଭାରେ ଏକାଧିକ ନୂଆ ମାଗଣା ଯୋଜନାର ଘୋଷଣା କରିବା ସହ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ପ୍ରତ୍ୟେକ ପରିବାର ପାଇଁ ବର୍ଷକୁ ୩ଟି ମାଗଣା LPG ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି। ଏହାସହ ଆସନ୍ତା ବର୍ଷ ପୋଙ୍ଗଲରୁ ‘ଅନ୍ନପୂର୍ଣ୍ଣୀ ସୁପର ସିକ୍ସ’ ଯୋଜନା ଆରମ୍ଭ କରାଯିବ ଏବଂ ଏହାଦ୍ୱାରା ପ୍ରାୟ ୧.୩୦ କୋଟି ପରିବାର ଲାଭବାନ ହେବେ ବୋଲି ଆଶା କରାଯାଉଛି।
ଫ୍ରି ସିଲିଣ୍ଡର ଯୋଜନାରୁ ୪ ହଜାର କୋଟିର ବୋଝ
ଏହି ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀଙ୍କ ଦ୍ୱାରା କିଣାଯାଇଥିବା ୩ଟି LPG ସିଲିଣ୍ଡରର ମୂଲ୍ୟ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଏହି ଯୋଜନା ଯୋଗୁଁ ରାଜ୍ୟ କୋଷାଗାର ଉପରେ ପ୍ରତିବର୍ଷ ପ୍ରାୟ ୪,୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି। ଯୋଜନାର ଘୋଷଣା କରି ସିଏମ୍ ବିଜୟ କହିଛନ୍ତି ଯେ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ଯୋଗୁଁ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ଅଭାବ ଏବଂ ବୃଦ୍ଧି ପାଉଥିବା ଦର ପରିବାରଗୁଡ଼ିକ ଉପରେ ଅତିରିକ୍ତ ଆର୍ଥିକ ଚାପ ପକାଇଛି।
ସେ ବିଧାନସଭାରେ କହିଛନ୍ତି, "ସଙ୍କଟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆର୍ଥିକ ସମସ୍ୟା ସତ୍ତ୍ୱେ, ଜନସାଧାରଣଙ୍କ ଉପରୁ ଆର୍ଥିକ ବୋଝ କମାଇବା, ସେମାନଙ୍କ କଲ୍ୟାଣ ସୁରକ୍ଷିତ କରିବା ଏବଂ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ରାଜ୍ୟ ସରକାର ରନ୍ଧନ ଗ୍ୟାସ୍ ସିଲିଣ୍ଡର ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।" ନିର୍ବାଚନ ପୂର୍ବରୁ ବିଜୟଙ୍କ ଦଳ ‘ତାମିଲଗା ୱେଟ୍ରି କାଝଗମ୍’ (TVK) ବର୍ଷକୁ ୬ଟି ମାଗଣା LPG ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଥିଲା।
ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା
ମୁଖ୍ୟମନ୍ତ୍ରୀ ବିଜୟ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ମାଗଣା ବସ୍ ଯାତ୍ରା ସୁବିଧା ଘୋଷଣା କରିବା ସହ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ‘ୱେଟ୍ରି ପୟାନା ଥିଟ୍ଟମ’ ଯୋଜନାର ପରିସରକୁ ବଢ଼ାଇଛନ୍ତି। ଏହି ନୂଆ ନିୟମ ଅନୁସାରେ, ମହିଳାମାନେ କେବଳ ସାଧାରଣ ବସ୍ରେ ନୁହେଁ, ବରଂ ଏକ୍ସପ୍ରେସ୍, LSS ଏବଂ ଡିଲକ୍ସ ବସ୍ରେ ମଧ୍ୟ ମାଗଣାରେ ଯାତ୍ରା କରିପାରିବେ। ଏହି ସୁବିଧା ଆନ୍ତଃ-ଜିଲ୍ଲା ବସ୍ ସେବା ପାଇଁ ମଧ୍ୟ ଲାଗୁ ହେବ।
ବିଜୟ କହିଛନ୍ତି, "ମହିଳାମାନଙ୍କ ଯାତାୟାତର ସ୍ୱାଧୀନତା ସେମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ପରିବାରର ପ୍ରଗତିର ମୂଳଦୁଆ।" ପୂର୍ବରୁ ପ୍ରଚଳିତ ମାଗଣା ଯାତ୍ରା ଯୋଜନାରେ ମହିଳାମାନଙ୍କୁ କେବଳ ମେଟ୍ରୋପୋଲିଟାନ୍ ଓ ସହରାଞ୍ଚଳରେ ଚାଲୁଥିବା ସାଧାରଣ ଏବଂ ପାହାଡ଼ିଆ ରୁଟ୍ ବସ୍ରେ ମାତ୍ର ୪୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର ଅନୁମତି ଥିଲା, ଯେଉଁଥିରେ ଏକ୍ସପ୍ରେସ୍, LSS, ଡିଲକ୍ସ ଓ ଉପନଗରୀୟ ସେବା ଶାମିଲ ନଥିଲା। କିନ୍ତୁ ନୂଆ ଯୋଜନା ଅନୁଯାୟୀ, ମହିଳାମାନେ ମେଟ୍ରୋପୋଲିଟାନ୍ ଓ ସହରାଞ୍ଚଳର ଏକ୍ସପ୍ରେସ୍, LSS, ଡିଲକ୍ସ ସରକାରୀ ବସ୍ ସହିତ ମୋଫସିଲ୍ (Mofussil) ଏବଂ ପାହାଡ଼ିଆ ଅଞ୍ଚଳର ସାଧାରଣ ଭଡ଼ା ବସ୍ରେ ମାଗଣାରେ ଯାତ୍ରା କରିପାରିବେ।
ଫ୍ରି ବସ୍ ସେବାରୁ ୬,୦୦୦ କୋଟିର ଖର୍ଚ୍ଚ
ସାମାଜିକ ନ୍ୟାୟ ନୀତି ବାବଦରେ ଉଲ୍ଲେଖ କରି ସିଏମ୍ ବିଜୟ କହିଛନ୍ତି, "ଏହି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ, ଯାହା ଅଧୀନରେ ତାମିଲନାଡୁର କୌଣସି ବି ଅଞ୍ଚଳରେ ରହୁଥିବା ମହିଳା ଯାତାୟାତ ଖର୍ଚ୍ଚ ଯୋଗୁଁ ନିଜ ସୁଯୋଗରୁ ବଞ୍ଚିତ ହେବା ଉଚିତ୍ ନୁହେଁ।"
ସେ ଆହୁରି କହିଛନ୍ତି ଯେ ମହିଳାଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ସରକାର ମାଗଣା ଯାତ୍ରା ଯୋଜନାର ବ୍ୟାପକ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ‘ୱେଟ୍ରି ପୟାନମ୍’ (ବିଜୟୀ ଯାତ୍ରା) ନାମ ଦିଆଯାଇଛି ଏବଂ ଏହି ଯୋଜନା ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରୁ ଲାଗୁ ହେବ। ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ପ୍ରତିବର୍ଷ ୬,୦୦୦ କୋଟି ଟଙ୍କାର ଅତିରିକ୍ତ ଭାର ପଡ଼ିବ।