ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ ପ୍ରଦର୍ଶନ ସମୟରେ ଘଟିଥିବା ଅଘଟଣ ଓ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟରେ ଏକ ବଡ଼ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସ୍ପଷ୍ଟ କରିଛନ୍ତି ଯେ ପ୍ରଦର୍ଶନ ସମୟରେ ମହିଳାଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନ ଏବଂ ଅସଦାଚରଣ ଅଭିଯୋଗକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ।
ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ହୋଇଥିବା ହାଇ-ପାୱାର୍ଡ ଇନକ୍ୱାରି କମିଟି (HPEC)କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ମହିଳା ପ୍ରଦର୍ଶନକାରୀଙ୍କୁ ଅସମାନ ଓ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ସବୁଠାରୁ ଆଗରେ ରଖି ତଦନ୍ତ କରିବେ। CJI ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ବେଞ୍ଚ ଶୁଣାଣି କରି କହିଛନ୍ତି ଯେ, ଏହି ସମ୍ବେଦନଶୀଳ ମାମଲାରେ କମିଟି ଯଥାଶୀଘ୍ର ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟକୋର୍ଟରେ ଦାଖଲ କରିବ।
ଶୁଣାଣି ସମୟରେ ବରିଷ୍ଠ ଆଇନଜ୍ଞ ଶୋଭା ଗୁପ୍ତା ଜନ୍ତରମନ୍ତର ପ୍ରଦର୍ଶନ ବେଳେ ମହିଳାମାନଙ୍କ ସହ ହୋଇଥିବା ଦୁର୍ବ୍ୟବହାର ଓ ଅସଦାଚରଣ ପ୍ରସଙ୍ଗକୁ ଉଠାଇ ଏହାର ସ୍ୱତନ୍ତ୍ର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଏହାକୁ ଗ୍ରହଣ କରି କୋର୍ଟ କମିଟି ଜରିଆରେ ଏହାର କଡ଼ା ତଦନ୍ତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ପୀଡ଼ିତାମାନେ କିପରି ସହଜରେ କମିଟି ନିକଟରେ ନିଜର ଅଭିଯୋଗ ପହଞ୍ଚାଇ ପାରିବେ, ସେଥିପାଇଁ ନୋଡାଲ ଅଫିସର ନିଯୁକ୍ତି ଏବଂ ସ୍ୱତନ୍ତ୍ର ପ୍ରକ୍ରିୟା ପ୍ରସ୍ତୁତ କରାଯାଉଥିବା କଥା କୋର୍ଟରେ ଜଣାଇ ଦିଆଯାଇଛି।
Also Read: ସିଜେପିକୁ ଦେଖି ଆଲର୍ଟ ହୋଇଗଲେ ସରକାର, ସ୍କୁଲ ଉପରେ ଖର୍ଚ୍ଚ କରିବେ ୧୨ ହଜାର କୋଟି